

ରେଡିଏନ୍ସରେ ସମ୍ବଲପୁରୀ ଦିନ ପାଳନ ଓ ବୃକ୍ଷରୋପଣ
ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଓ ଗୁରୁଶ୍ରୀ ଶ୍ରୀଧର ପ୍ରଧାନଙ୍କ ଜୟନ୍ତୀ ଅବସରରେ ମହାସମାରୋହରେ ସମ୍ବଲପୁରୀ ଦିନ ପାଳିତ ହୋଇଯାଇଅଛି । ଉକ୍ତ ଶିକ୍ଷାନୁଷ୍ଠାନ ନିଜର ଐତିହ୍ୟ, ସଂସ୍କୃତି, ପରମ୍ପରାକୁ ନେଇ ସମୟାନୁଯାୟୀ କିଛିନା କିଛି କାର୍ଯ୍ୟକ୍ରମ କରିଆସୁଥିବା ବେଳେ ଉପନୀତ କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଅଜିତ କୁମାର ମେହେରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଘନଶ୍ୟାମ ମେହେର, ସଭାପତି ଶ୍ରୀମତୀ କସ୍ତୁରୀ ମେହେର, ଉପଦେଷ୍ଟା ରଜେଶ୍ରୀ ମେହେର, ସ୍କୁଲର ଅଧ୍ୟକ୍ଷା ମୋହିନୀ ମେହେରଙ୍କ ସମେତ ଶିକ୍ଷାନୁଷ୍ଠାନର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଭାରେ ଗୁରୁଶ୍ରୀ ସତ୍ୟନାରାୟଣ ବହିଦାର ଓ ଶ୍ରୀଧର ପ୍ରଧାନଙ୍କ ସ୍ମୃତିଚାରଣ ପୂର୍ବକ ଅନୁଷ୍ଠାନର ନିଆରା ପରମ୍ପରା କାଳକାଳକୁ ରହିବ ବୋଲି ଚେୟାରମେନ ଶ୍ରୀ ମେହେର କହିଥିବା ବେଳେ ଥିବା ବେଳେ ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ମେହେର ସମ୍ବଲପୁରୀ ଦିନର ଶୁଭେଚ୍ଛା ଜଣାଇ ଥିଲେ। ଉପାଧ୍ୟକ୍ଷ ଶ୍ରୀ ବାରିକ ଆଜିର ଏହି ମହତ୍ ଦିନର ଇତିହାସ ବିଷୟରେ ମତ ରଖିଥିଲେ ଓ ଏଡମିନିଷ୍ଟ୍ରେଟିଭ ଡାଇରେକ୍ଟର ସମ୍ବଲପୁରୀ ଦିନ ପଶ୍ଚିମ ଓଡ଼ିଶାର ପରିଚୟ ବୋଲି କହିଥିଲେ । ଚେୟାରମେନଙ୍କ ସହିତ ସଭାପତି ଶ୍ରୀମତୀ ମେହେର ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଓ ଗୁରୁ ଶ୍ରୀ ଶ୍ରୀଧର ପ୍ରଧାନଙ୍କ ସ୍ମୃତିରେ ବୃକ୍ଷ ରୋପଣ କରିଥିଲେ । ପରେ ଛାତ୍ରଛାତ୍ରୀ ମାନେ ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶେଷରେ ଓଡ଼ିଆ ଅଧ୍ୟାପକ ପ୍ରଫୁଲ୍ଲ ପ୍ରଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ପ୍ରସ୍ତୁତ ହୋଇଥିବା ପଶ୍ଚିମ ଓଡିଶାର ପାରମ୍ପରିକ ଭୋଜନ ପରେ କାର୍ଯ୍ୟକ୍ରମର ଅନ୍ତ ଘଟିଥିଲା । ପରମ୍ପରା ଓ ସଂସ୍କାରକୁ ନେଇ ରେଡିଏନ୍ସ ଶିକ୍ଷାନୁଷ୍ଠାନର ଏପରି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।





