

ଚକ୍ରଧରପୁରରେ ଲକ୍ଷେଘର ଗଣ୍ଡା ସମାଜର ବିକାଶ ବୈଠକ


ଝାରଖଣ୍ଡ : ଝାରଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମି ଜିଲ୍ଲା ଚକ୍ରଧରପୁରର ହୋଟେଲ ହରି ଇଣ୍ଟରନେସନାଲ ଠାରେ ପଶ୍ଚିମ ଓଡିଶା ଓଡିଆ ସଂଘ ତରଫରୁ ଲକ୍ଷେଘର ଗଣ୍ଡା ସମାଜର ଭେଟଘାଟ୍ ଓ ଏକ ବିଶେଷ ବୈଠକ ଅନୁଷ୍ଠିତ ହୋଇଥିଲା ।


ସଂଘର ଜନସମ୍ପର୍କ ପଦାଧିକାରୀ ବିଶ୍ବନାଥ ତନ୍ତୀଙ୍କ ଆବାହନ ଓ ଆୟୋଜନ ତଥା ସଭାପତି ବଜରଙ୍ଗୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମ୍ବଲପୁରୀ ଗାୟକ ତଥା ଗଣ୍ଡା ସମାଜ ମୁଖ୍ୟ ଉପଦେଷ୍ଟା ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ମୁଖ୍ୟବକ୍ତା ଭାବେ ଗଣ୍ଡା ସମାଜ କଲ୍ୟାଣ ପରିଷଦ ସଭାପତି ନିହାଲ ସିଂ, ସମ୍ବଲପୁର ୟୁନିଭର୍ସିଟି ଏସଟି/ଏସସି ଏମ୍ଲାଇ ୟୁନିଅନ ଉପ-ସଭାପତି ତଥା ଗୀତ ସଂଗୀତକାର ଶିବ ଶଙ୍କର ପ୍ରଧାନ, ରାଜ୍ କ୍ଲବ୍ ଗଣ୍ଡା ସମାଜ ଜମସେଦପୁର ସଭାପତି ନରେଶ କୁମାର ତାଣ୍ଡିଆ, ଓଡିଶା ପ୍ରଦେଶ ଲକ୍ଷେଘର ଅନୁସୂଚିତ ଜାତି ମହାସଂଘ ଝାରସୁଗୁଡା ଜିଲ୍ଲା ସଭାପତି ଶଙ୍କର ପୋଡ, ଭରତୀୟ ଦଲିତ ସାହିତ୍ୟ ଏକାଡେମୀ ପଶ୍ଚିମ ଓଡ଼ିଶା ବାର୍ତ୍ତା ସମ୍ପାଦକ ଜଗନ୍ନାଥ କୁମ୍ଭାର, ବିର୍ସା ଅମ୍ବେଦକର ଫୁଲେ ଷ୍ଟୁଡେଣ୍ଟସ୍ ଏସୋସିଏସନ (ବାପ୍ସା) ଜିଏମୟୁ ସମ୍ବଲପୁର ସଭାପତି ଯୋଗେନ୍ଦ୍ର ମଲ୍ଲିକଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଗଣ୍ଡା ସମାଜର ବିଭିନ୍ନ ମାନ୍ୟଗଣ୍ୟ କର୍ମକର୍ତ୍ତାଗଣ ଉପସ୍ଥିତ ରହି ସମାଜର ସର୍ବାଙ୍ଗୀନ ଉନ୍ନତି ନିମିତ୍ତ ବିଭିନ୍ନ ମତ ମନ୍ତବ୍ୟ ପ୍ରଦାନ କରିଥିଲେ ।


ମୁଖ୍ୟବକ୍ତା ଶ୍ରୀଯୁକ୍ତ ସିଂ ଯଦିଓ ପଶ୍ଚିମ ଓଡିଶା ମାଟିର ଗଣ୍ଡା ସମାଜ ସାରା ଭାରତବର୍ଷରେ କିମ୍ବା ବିଦେଶରେ ଯେଉଁଠି ଖୋଜିଲେ ଜାତି ପାଇବା ଓ ଏ ସମ୍ପ୍ରଦାୟ ବସବାସ କରନ୍ତି, ଯେହେତୁ ଅଧିକାଂଶ ଝାରଖଣ୍ଡରେ ବସବାସ କରୁଥିବାରୁ ସେମାନଙ୍କୁ ଓଡିଶା, ଛତିଶଗଡ ସରକାରଙ୍କ ଭଳି ଏସସି ସୂଚୀରେ ସାମିଲ କରିବାକୁ ମାନ୍ୟବର ଝାରଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ସାମାଜିକ ନ୍ୟାୟ କେନ୍ଦ୍ରମନ୍ତ୍ରୀଙ୍କ ପାଖକୁ ପଠାଇବା ପାଇଁ ଏହି ସଭାରେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଦୂର ଦୂରାନ୍ତରରୁ ଆସିଥିବା ଅତିଥିଗଣ ଗଣ୍ଡା ସମାଜର ସାମଗ୍ରୀକ ବିକାଶ ନିମିତ୍ତ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଖଗେଶ୍ବର ମହାନନ୍ଦଙ୍କ ଅତିଥି ସ୍ବାଗତ, ପରିଚୟ ପ୍ରଦାନ ତଥା ସଂଯୋଜନାରେ ଅନୁଷ୍ଠିତ ସଭା ପ୍ରାରମ୍ଭରେ ପୁଷ୍ପମାଲ୍ୟ, ପୁଷ୍ପଗୁଚ୍ଛ, ଉପଢୌକନ ପ୍ରଦାନ ପୂର୍ବକ ଅତିଥିଗଣଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା ।


କାର୍ଯ୍ୟକ୍ରମ ଆୟୋଜନରେ ବିଶେଷ ଅବଦାନ ପାଇଁ ଚକ୍ରଧରପୁର ନଗରପାଳିକା ଓ୍ବାର୍ଡ ନମ୍ବର ୧୫ ର କାଉନସିଲର୍ ଶ୍ରୀମତୀ ସୀନିତୀ ବାଗ ଓ ତାଙ୍କ ସ୍ବାମୀ ଶ୍ରୀଯୁକ୍ତ ମିଥୁନ ବାଗ ଏବଂ ସାମାଜିକ କର୍ମକର୍ତ୍ତା ସ୍ବର୍ଗତ ମକୁନ୍ଦ ଚନ୍ଦ୍ର ଭଏନାଙ୍କ ପତ୍ନୀ ବୀନତା ଭଏନା ଓ ଅନୁସୂୟା ଚାନ୍ଦଙ୍କୁ ମୁଖ୍ୟ ଅତିଥି ପଦ୍ମଶ୍ରୀ ଶ୍ରୀଯୁକ୍ତ ହରିପାଲ ସମ୍ମାନୀତ କରିଥିଲେ । ସଂଘ ଉପ-ସଭାପତି ଏସ୍.ପି ସାଗର, ସମ୍ପାଦକ ମୁନା କୁମ୍ଭାରଙ୍କ ସମେତ ସଂଘର କର୍ମକର୍ତ୍ତାଗଣ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀଯୁକ୍ତ କୁମ୍ଭାର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





