

ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ସ୍ବାଧୀନତା ଦିବସ ପାଳିତ
ସମ୍ବଲପୁର : ସମ୍ବଲପୁର ସ୍ଥାନୀୟ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ମୁଦିପଡ଼ା ହାଉସିଂ ବୋର୍ଡ଼ କଲୋନୀ ଠାରେ ଦେଶର ୮୦ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ରୋଜିସେନ୍ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଉତ୍ସବରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସମାଜସେବୀ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଧ୍ବଜାରୋହଣ ପୂର୍ବରୁ ଭାରତମାତା, ସ୍ୱାମୀ ବିବେକାନନ୍ଦ ଏବଂ ମୁକ୍ତିସଂଗ୍ରାମୀ ବରପୁତ୍ର ମାନଙ୍କ ଫଟୋଚିତ୍ର ମାନଙ୍କରେ ପୁଷ୍ପମାଲ୍ୟ ପ୍ରଦାନ ଓ ପୂଜାର୍ଚ୍ଚନା ପରେ ରାଷ୍ଟ୍ରଗୀତ ସମ୍ପୂର୍ଣ୍ଣ “ବନ୍ଦେ ମାତରମ୍” ଏବଂ ଜାତୀୟ ପତାକା ଉତ୍ତୋଳନ ପରେ ପରେ ସାମୂହିକ ଜାତୀୟ ସଂଗୀତ “ଜନ ଗଣ ମନ” ଗାୟନ କରାଯାଇଥିଲା । ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ/ଶିକ୍ଷୟିତ୍ରୀ, ସହରର ବହୁ ଗଣ୍ୟମାନ୍ୟ ଭଦ୍ରବ୍ୟକ୍ତି ଓ ଭଦ୍ରମହିଳା ଙ୍କୁ ଉଦ୍ବୋଧନ ପୂର୍ବକ ଆମ ଭାରତବର୍ଷ ୨୦୪୭ ରେ ସ୍ବାଧୀନତାର ଶତବାର୍ଷିକୀ ମହୋତ୍ସବ ମହାସମାରୋହରେ ପାଳନ କରିବ, ଆଗାମୀ ୨୧ ବର୍ଷ ମଧ୍ୟରେ ଭାରତକୁ ବିକଶିତ ରାଷ୍ଟ୍ର ଭାବରେ ଗଠନ କରିବା ପାଇଁ ଲକ୍ଷ୍ୟ ସ୍ଥିର କରାଯାଇଛି, ଆମ୍ଭେମାନେ ସମସ୍ତେ ନିଜ ନିଜର ମନ ବଚନ ଏବଂ ଶ୍ରେଷ୍ଠ କର୍ମ ଦ୍ୱାରା ଦେଶର ସର୍ବାଙ୍ଗୀନ ଉନ୍ନତି କରି ପାରିବା ଏବଂ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ଅସମ୍ପୂର୍ଣ୍ଣ ସ୍ବପ୍ନକୁ ସାକାର କରିପାରିବା ସହିତ “ବିକଶିତ ଭାରତ” ଗଠନ କରିବା ଦିଗରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ବହିଦାର ସମସ୍ତଙ୍କର ସମ୍ପୂର୍ଣ୍ଣ ସହଯୋଗ କାମନା କରିଥିଲେ। ପ୍ରାତଃ କାଳରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଧାଡିବାନ୍ଧି ହାତରେ ଜାତୀୟ ପତାକା ସାହିର ବିଭିନ୍ନ ଅଞ୍ଚଳ ପ୍ରଭାତଫେରି ପୂର୍ବକ ଭାରତମାତା ଏବଂ ମୁକ୍ତି ସଂଗ୍ରାମୀ ବରପୁତ୍ର ମାନଙ୍କ ଜୟଧ୍ୱନୀ କରି ଦେଶଭକ୍ତି ପରିବେଶ ସୃଷ୍ଟି କରିଥିଲେ | ଏହି ଅବସରରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଶିକ୍ଷୟିତ୍ରୀ ଅଷ୍ଟମୀ ପୋଢ଼, ଅଙ୍କିତା ଜୁଆଡ଼ିଆ, ପୂର୍ଣ୍ଣିମା ହୋତା, ସ୍ବାଗତା ଘୋଷ ଏବଂ ଗୀତା ପୋଢ଼ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ହିମାଳୟା ମହଲା ଧନ୍ୟବାଦ ଅର୍ପଣ କରିଥିଲେ | ଶେଷରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀ ଏବଂ ଉପସ୍ଥିତ ସମସ୍ତେ ମିଷ୍ଟାନ୍ନ ସେବନ କରିଥିଲେ |





