

ସ୍ବାୟତ୍ତ ଶାସନ ଦିବସରେ ବିଜେପୁରର ବିକାଶକୁ ନେଇ ଉଠିଲା ପ୍ରଶ୍ନ
ବରଗଡ/ବିଜେପୁର : ସ୍ୱାୟତ୍ତ ଶାସନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସମସ୍ୟାକୁ ଲୋକଙ୍କ ନିକଟରେ ସମାଧାନ କରିବା । ସ୍ଥାନୀୟ ଲୋକଙ୍କ ମତାମତକୁ ଗୁରୁତ୍ୱ ଦେବା, ବିକାଶ କାର୍ଯ୍ୟରେ ଲୋକଙ୍କ ଭାଗିଦାରି ସୁନିଶ୍ଚିତ କରିବା ଏବଂ ସ୍ଥାନୀୟ ସଂସ୍ଥାକୁ ଅଧିକ ସ୍ୱାଧୀନ ଓ ଜବାବଦେହ କରିବା । ହେଲେ ବିଜେପୁର ବିଜ୍ଞାପିତ ଅଞ୍ଚଳର ବର୍ତ୍ତମାନର ଚିତ୍ର ଏହି ଲକ୍ଷ୍ୟ ଉପରେ ଅନେକ ପ୍ରଶ୍ନ । କିଛି ମାସ ପୂର୍ବେ ପରିବେଶ ଦିବସ ଅବସରରେ ବିଜେପୁରରେ ୧୨ଟି ପ୍ରକଳ୍ପର ଉଦ୍ଘାଟନ କରାଯାଇଥିଲା । ଉଦ୍ଘାଟନ ସମୟରେ ବିକାଶର ଏକ ବଡ଼ ଚିତ୍ର ଦେଖାଯାଇଥିଲା । ହେଲେ ଉଦ୍ଘାଟନର କିଛି ମାସ ପରେ ପ୍ରକଳ୍ପଗୁଡ଼ିକର ବାସ୍ତବ ସ୍ଥିତି କଣ, ତାହା ଏବେ ପ୍ରଶ୍ନ ହୋଇଛି ।ବିଜେପୁରର ଦାମୋଦର କଟାରେ ବୋଟିଂ ବ୍ୟବସ୍ଥା ଉଦ୍ଘାଟନ ହୋଇଥିଲା । ଲୋକଙ୍କ ମନୋରଞ୍ଜନ ସହ ପର୍ଯ୍ୟଟନର ବିକାଶ ପାଇଁ ଏହାକୁ ଏକ ଭଲ ପଦକ୍ଷେପ ବୋଲି କୁହାଯାଇଥିଲା । ହେଲେ ଉଦ୍ଘାଟନ ପରେ ମଧ୍ୟ ଏ ଯାଏ କଟାରେ ବୋଟ ଚାଲୁନଥିବା ଅଭିଯୋଗ ରହିଛି । ବୋଟିଂ ପାଇଁ ବ୍ୟବସ୍ଥା ହେଲା, ଉଦ୍ଘାଟନ ହେଲା, କିନ୍ତୁ ଏହା ଲୋକଙ୍କ କାମରେ କେବେ ଆସିବ, ତାହାର ଉତ୍ତର ମିଳୁନାହିଁ । ସେହିପରି ଲୋକଙ୍କ ସୁବିଧା ପାଇଁ ନିର୍ମିତ ଶୌଚାଳୟରେ ଏବେ ତାଲା ଝୁଲୁଛି । ଉଦ୍ଘାଟନ ହୋଇସାରିଥିଲେ ମଧ୍ୟ ସାଧାରଣ ଲୋକ ଏହାର ସୁବିଧା ପାଇପାରୁନଥିବା ଅଭିଯୋଗ ହେଉଛି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଉଥିଲେ ମଧ୍ୟ ଫୋନ ଉଠାଉ ନାହାନ୍ତି ଅଭିଯୋଗ ରହିଛି । ତେବେ ଉଦ୍ଘାଟନ ପରେ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ କାହାର, ତାହା ନେଇ ପ୍ରଶ୍ନ ଉଠୁଛି । କେବଳ ଏତିକି ନୁହେଁ, ଥାନା ସମ୍ମୁଖରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଲଗାଯାଇଥିବା ଏଲ୍ଇଡି ବୋର୍ଡ ମଧ୍ୟ ଏବେ ଅଚଳ ହୋଇପଡ଼ିଥିବା ଅଭିଯୋଗ । ଲୋକଙ୍କୁ ସରକାରୀ ଯୋଜନା, ଜନସଚେତନତା ଓ ଜରୁରୀ ସୂଚନା ଦେବା ପାଇଁ ଏହା ଲଗାଯାଇଥିଲା । କିନ୍ତୁ ଲୋକଙ୍କୁ ସୂଚନା ଦେବା ପରିବର୍ତ୍ତେ ଏହା ଅନ୍ଧାରରେ ପଡ଼ି ରହିଛି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଯଦି ଏଲ୍ଇଡି ବୋର୍ଡ କାମରେ ନଆସେ, ତେବେ ଏହାର ଉଦ୍ଦେଶ୍ୟ ଓ ଖର୍ଚ୍ଚର ଉପଯୋଗିତା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଅନ୍ୟପଟେ କୋର୍ଟ ସମ୍ମୁଖରେ ଲାଗିଥିବା ସେଲ୍ଫି ପଏଣ୍ଟର ଅବସ୍ଥା ମଧ୍ୟ ଦୟନୀୟ । ଲୋକଙ୍କ ଆକର୍ଷଣ ଓ ସହରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଲଗାଯାଇଥିବା ଏହି ସେଲ୍ଫି ପଏଣ୍ଟ ଏବେ ଭାଙ୍ଗିରୁଜି ନଷ୍ଟ ହୋଇ ପଡ଼ିଥିବା ଅଭିଯୋଗ ହେଉଛି । ନିର୍ମାଣ ପରେ ରକ୍ଷଣାବେକ୍ଷଣ ଅଭାବରୁ ଯଦି ପ୍ରକଳ୍ପର ଏଭଳି ଅବସ୍ଥା ହୁଏ, ତେବେ ଖର୍ଚ୍ଚ ହୋଇଥିବା ଅର୍ଥର ସୁଫଳ ଲୋକେ କେତେଦୂର ପାଇଲେ, ତାହା ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏପଟେ ବିଜେପୁରର ଡ୍ରେନେଜ୍ ସମସ୍ୟା ମଧ୍ୟ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ରହିଛି । ସାମାନ୍ୟ ବର୍ଷା ହେଲେ ହସ୍ପିଟାଲ ପରିସରରେ ଆଣ୍ଠୁଏ ପାଣି ଜମିଯାଉଥିବା ଅଭିଯୋଗ ହେଉଛି । ଯେଉଁଠି ରୋଗୀ ଓ ସମ୍ପର୍କୀୟଙ୍କୁ ସ୍ୱାସ୍ଥ୍ୟସେବା ମିଳିବା କଥା, ସେଠାରେ ବର୍ଷା ହେଲେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। କିଛି ଦିନ ତଳେ ଅଧିକାରୀମାନେ ବିଜେପୁର ଅଞ୍ଚଳର ବିଭିନ୍ନ ସାହି ପରିଦର୍ଶନ କରୁଥିବା ସମୟରେ ମହିଳାମାନେ ଅଧିକାରୀଙ୍କୁ ଘେରି ନିଜ ସମସ୍ୟା ଜଣାଇଥିଲେ । ଡେନ୍ ସମସ୍ୟା ଯୋଗୁଁ ବର୍ଷା ପାଣି ଘର ଭିତରକୁ ପଶୁଥିବା ନେଇ ସେମାନେ ଅଭିଯୋଗ କରିଥିଲେ ।ଘରେ ଘରେ ପାଣି ପଶୁଥିବା ଭଳି ସମସ୍ୟା ଯଦି ଏବେ ବି ରହିଛି, ତେବେ ସହରର ବିକାଶ ଯୋଜନା କେଉଁ ଦିଗରେ ଯାଉଛି ବୋଲି ପ୍ରଶ୍ନ ଉଠୁଛି । ଏସବୁ ଘଟଣା ମଧ୍ୟରେ ଏବେ ବଡ଼ ପ୍ରଶ୍ନ ବିଜେପୁରରେ ବିକାଶ ହେଉଛି ନା କେବଳ ଯୋଜନା, ଶିଳାନ୍ୟାସ ଓ ଉଦ୍ଘାଟନରେ ସୀମିତ ରହୁଛି ବିକାଶ? ଉଦ୍ଘାଟନ ପରେ ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉଛି କି? ଲୋକଙ୍କ ଟଙ୍କାରେ ନିର୍ମିତ ସମ୍ପତ୍ତି କାହିଁକି ଅଚଳ ହୋଇପଡ଼ୁଛି? ଏହାର ଜବାବ ଦେବା ଦାୟିତ୍ୱ କାହାର ? ସ୍ବାୟତ୍ତ ଶାସନ ଦିବସ କେବଳ ଏକ ଦିବସ ପାଳନରେ ସୀମିତ ନ ରହି, ସ୍ଥାନୀୟ ଲୋକଙ୍କ ସ୍ୱରକୁ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ । ଯେଉଁ ପ୍ରକଳ୍ପ ଲୋକଙ୍କ ଟଙ୍କାରେ ନିର୍ମାଣ ହେଉଛି, ତାହା ଲୋକଙ୍କ କାମରେ ଆସୁଛି କି ନାହିଁ, ତାହାର ନିୟମିତ ତଦାରଖ ହେବା ଦରକାର । ପ୍ରକଳ୍ପର ଘୋଷଣା ଓ ଉଦ୍ଘାଟନ ଯେତିକି ଜରୁରୀ, ତା’ଠାରୁ ଅଧିକ ଜରୁରୀ ହେଉଛି ଏହାକୁ ଲୋକଙ୍କ ପାଇଁ ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ରଖିବା । ଉଦ୍ଘାଟନ ଫଳକ ଲଗାଇଦେଲେ ବିକାଶ ହୁଏନାହିଁ । ପ୍ରକଳ୍ପ ଚାଲିବା, ଲୋକଙ୍କ କାମରେ ଆସିବା ଏବଂ ସ୍ଥାନୀୟ ସମସ୍ୟାର ସ୍ଥାୟୀ ସମାଧାନ ହେବା ହିଁ ପ୍ରକୃତ ବିକାଶ ।



