ସାହିତ୍ୟପ୍ରାଣ କବି ଖଗେଶ୍ବର ଶେଠ୍ ଜଣେ ଅଦ୍ୱିତୀୟ ସ୍ରଷ୍ଟା

ରାଜ୍ୟସ୍ତରୀୟ ଜୟନ୍ତୀ ପାଇଁ ସଂସ୍କୃତି ମନ୍ତ୍ରୀଙ୍କୁ ସ୍ମାରକପତ୍ର

ବରଗଡ଼/ବିଜେପୁର : ବରଗଡ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଖଗେଶ୍ବର ସାହିତ୍ୟ କଳା ପରିଷଦ ବିଜେପୁର ପକ୍ଷରୁ ସାହିତ୍ୟପ୍ରାଣ କବି ଖଗେଶ୍ବର ଶେଠଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବ ପାଳନ ପାଇଁ ଉଚ୍ଚ ଶିକ୍ଷା, ଯୁବ ଓ କ୍ରୀଡା, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ମଙ୍ଗଳବାର ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଓଡିଆ ସାହିତ୍ୟରେ ସ୍ବଭାବ କବି ଗଙ୍ଗାଧରଙ୍କ ପରେ ସା‌ହିତ୍ୟପ୍ରାଣ କବି ଖଗେଶ୍ବର ଶେଠଙ୍କର ଅବଦାନ ଅଦ୍ୱିତୀୟ । ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଡକ୍ଟର ଗୌରୀ କୁମାର ବ୍ରହ୍ମାଙ୍କ ସଂପାଦନାରେ କବିଙ୍କ ଗ୍ରନ୍ଥାବଳୀର ପ୍ରଥମ ଭାଗ ପ୍ରକାଶ ପାଇଥିଲା । ୧୯୭୨ରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ପକ୍ଷରୁ ଆୟୋଜିତ ସାରସ୍ବତ ସମାରୋହରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ କବିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କବି ୧୯୭୪ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସର ନାମକରଣ କରିଥିଲେ ଜ୍ୟୋତି ବିହାର ବୋଲି । ନିକଟ ଅତୀତରେ ତାଙ୍କର ପୂର୍ଣ୍ଣାଙ୍ଗ ଗ୍ରନ୍ଥାବଳୀ ପ୍ରକାଶ ପାଇଛି । ଖଗେଶ୍ବର ସାହିତ୍ୟ କଳା ପରିଷଦ ବିଜେପୁର ପକ୍ଷରୁ ଦୀର୍ଘ ଚତୁର୍ଦ୍ଦଶ ବର୍ଷ ଧରି କବିଙ୍କର ଜୟନ୍ତୀ, ପୁଣ୍ୟ ତିଥି ପାଳନ ହୋଇ ଆସୁଛି । ତେଣୁ ତାଙ୍କର ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ପାଇଁ ରାଜଧାନୀରେ ମାନ୍ୟବର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରି ପରିଷଦ ପକ୍ଷରୁ ନିବେଦନ କରାଯାଇଛି । ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ପ୍ରକାଶିତ ହେଉଥିବା ସମ୍ବଲପୁରୀ ସାହିତ୍ୟ ପତ୍ରିକା ମହକେଲର ଚାରୋଟି ସଂଖ୍ୟାକୁ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥଲା । ଚଳିତବର୍ଷ କବି ଖଗେଶ୍ବର ଶେଠଙ୍କର ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ପରିଷଦ ପକ୍ଷରୁ ଜଣାପଡିଛି । ମନ୍ତ୍ରୀଙ୍କ ସହ ବିଜେପୁର ବିଧାୟକ ସନତ କୁମାର ଗଡତୀୟା ଉପସ୍ଥିତ ଥିଲେ । ଖଗେଶ୍ବର ସାହିତ୍ୟ କଳା ପରିଷଦର ଉପଦେଷ୍ଟା ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ, ସଂପାଦକ ରାଜେଶ୍ବର ବେହେରା, ଉପ-ସଭାପତି ହୃଦମଣି ସାହୁ, ସହ-ସମ୍ପାଦକ ମକରଧ୍ବଜ ସାହୁ, କୋଷାଧ୍ୟକ୍ଷ ଦେବାଶିଷ ମେହେର ପ୍ରମୁଖ ସ୍ମାରକପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top