

ଲୋକ ରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ
ବରଗଡ଼ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ବରଗଡ ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ ଅନୁଷ୍ଠିତ “ଲୋକ ରଞ୍ଜନୀ” ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ’ଚଳିତ ମଇ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ଉଦଯାପନି ସମାରୋହରେ ମାନ୍ୟବର ବରଗଡ଼ ବିଧାୟକ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡତିୟା ଓ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଓଡ଼ିଶାର ସମୃଦ୍ଧ ଲୋକ ସଂସ୍କୃତି, ଲୋକ ନୃତ୍ୟ ଓ ସଙ୍ଗୀତ ସମ୍ବନ୍ଧରେ ଆଲୋକପାତ କରିବା ସହ ଲୋକ ରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡ଼ିଶାର ଯୁବ କଳାକାରମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବା ପାଇଁ ଏକ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ଲୋକନୃତ୍ୟ ଓ ସଙ୍ଗୀତକୁ ଏକ ଅନନ୍ୟ ପରିଚୟ ପ୍ରଦାନ କରିଥିବା ସମସ୍ତ କଳାକାରମାନଙ୍କୁ ଅତିଥିମାନେ ସାଧୁବାଦ ଜଣାଇବା ସହିତ ଯୁବ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ୟହ ସନ୍ଧ୍ୟା ୬:୩୦ ରୁ ଚାଲିଥିବା ଉକ୍ତ କାର୍ଯ୍ୟକ୍ରମର ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ କଳାକାର ଘୁଡ୍କା ନୃତ୍ୟ, ବଜନିୟା ନୃତ୍ୟ, ଘୋଡ଼ା ନାଚ, ପାଇକ ଆଖଡ଼ା, ଘୁମୁରା ନୃତ୍ୟ, ଧୁନକେଲ ନୃତ୍ୟ, ବାଘ ନୃତ୍ୟ, କୁଇ ନୃତ୍ୟ ଆଦି ପରିବେଷଣ କରିଥିଲେ । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।





