

ବିଜେପୁର ମହାବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ
ବରଗଡ/ ବିଜେପୁର : ଗଙ୍ଗାଧର ସାହିତ୍ୟକୁ ବୁଝିବା ପାଇଁ ଜ୍ଞାନ ଆବଶ୍ୟକ ନୁହେଁ, ଅଭିଧାନ ମଧ୍ୟ ଆବଶ୍ୟକ ନୁହେଁ । ଗଙ୍ଗାଧର ସାହିତ୍ୟକୁ ବୁଝିବା ପାଇଁ ହୃଦୟର ଆବଶ୍ୟକତା ରହିଛି । ଜଣେ ସହୃଦୟ ମଣିଷ ହିଁ ମେହେର ସାହିତ୍ୟର ମର୍ମକୁ ସଠିକ ଭାବରେ ହୃଦୟଙ୍ଗମ କରିପାରିବ । ଉପନିଷଦର ଦାର୍ଶନିକତା, ମୃତ୍ୟୁ ଚେତନା ପ୍ରଭୃତି ଜ୍ଞାନ ରାଜ୍ୟର ପ୍ରାୟତଃ ସମସ୍ତ ତତ୍ତ୍ବ ଓ ଅନୁଭବ ମେହେର ସାହିତ୍ୟରେ ସମାହିତ ବୋଲି ବିଜେପୁର ମହାବିଦ୍ୟାଳୟ, ବିଜେପୁର ଆନୁକୂଲ୍ୟରେ ଅନୁଷ୍ଠିତ ସ୍ବଭାବ କବି ଗଙ୍ଗାଧରଙ୍କ ୧୬୫ତମ ଜୟନ୍ତୀ ସଭାରେ ବିଶିଷ୍ଟ ବ୍ୟକ୍ତି ମାନେ ମତବ୍ୟକ୍ତ କରିଛନ୍ତି । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ସାରସ୍ବତ ସମାବେଶରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଝସକେତନ ମେହେର, ମୁଖ୍ୟବକ୍ତା ଭାବେ ବିଜୁପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ସୋନପୁରର ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ମୁଖ୍ୟ ବକ୍ତା ଭାବେ ଉପସ୍ଥାତ ଥିଲେ । ସାଂସୃତିକ ସଂସଦର ଉପ-ସଭାପତି ସାନନ୍ଦ ସେଠଙ୍କ ସଭା ସଂଜୋଜନାରେ ଓଡ଼ିଆ ବିଭାଗୀୟ ମୁଖ୍ୟ ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ପ୍ରାଚୀର ପତ୍ରିକା ‘ଜ୍ୟୋତିର୍ମୟୀ’, ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ମରଣିକା’ ଏବଂ ଓଡ଼ିଆ ଅଧ୍ୟାପକ ଡ଼କ୍ଟର ଶେଷ ମେହେରଙ୍କ ରଚିତ ସମାଲୋଚନା ଗ୍ରନ୍ଥ ‘ତପସ୍ଵିନୀ ଓ ସୀତାର ବନବାସ’ ଉନ୍ମୋଚିତ ହୋଇଥିଲା । ସମାଜସେବା ଓ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ବିକାଶ ନିମିତ୍ତ ସର୍ବଦା ରତ ଥିବା ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମେହେରଙ୍କୁ ମହାବିଦ୍ୟାଳୟ ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଛାତ୍ରୀମାନେ ପ୍ରାରମ୍ଭିକ ଓ ସମାପ୍ତି ସଂଗୀତ ଗାୟନ କରିଥିଲେ । +୨ ପ୍ରଥମ ବର୍ଷ ଛାତ୍ରୀ ବର୍ଷା ପଟେଲ ଓ +୨ ଦ୍ବିତୀୟ ବର୍ଷ ଛାତ୍ର ଶିବୁନ ସାହୁ ଗଙ୍ଗାଧରଙ୍କ ସଂପର୍କରେ ରଚିତ କବିତା ପାଠ କରିଥିଲେ । ସଭାରେ ସାଂସ୍କୃତିକ ସଂସଦର ଉପ-ସଭାପତି ମହେନ୍ଦ୍ର କୁମାର ପଧାନ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଅଧ୍ୟାପକ ଡ଼କ୍ଟର ଚିନ୍ମୟ ସାହୁ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପକ ଡ଼କ୍ଟର ଶେଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।


