ସିଏମ୍ କିଷାନ ଯୋଜନା, ବରଗଡ଼ ଜିଲ୍ଲାର ୧.୭୫ ଲକ୍ଷ ଚାଷୀ ପାଇଲେ ସହାୟତା

ସିଏମ୍ କିଷାନ ଯୋଜନା, ବରଗଡ଼ ଜିଲ୍ଲାର ୧.୭୫ ଲକ୍ଷ ଚାଷୀ ପାଇଲେ ସହାୟତା

ବରଗଡ଼ : ସିଏମ କିଷାନ ଯୋଜନା ଅଧୀନରେ ବରଗଡ଼ ଜିଲ୍ଲାର ମୋଟ ୧,୭୪,୭୯୮ ଜଣ ହିତାଧିକାରୀ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ବରଗଡ଼ରେ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀଙ୍କ ସମୃଦ୍ଧି ଓ ରବି ଚାଷକୁ ଅଧିକ ଗତିଶୀଳ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମମତା ରାଣୀ ତ୍ରିପାଠୀ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ନରସିଂହ ଚରଣ ମାଝୀ ଏବଂ ପଦ୍ମପୁର ମୁଖ୍ୟ କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା କୃଷି ବିଭାଗର ସରକାରୀ ତଥ୍ୟାନୁସାରେ, ମୋଟ ୧,୭୪,୭୯୮ ହିତାଧିକାରୀଙ୍କ ମଧ୍ୟରୁ ୧,୭୪,୪୪୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ (SMF) ଥିବାବେଳେ ୩୫୫ ଜଣ ଭୂମିହୀନ କୃଷି ପରିବାର (LAH) ବର୍ଗର ଅଟନ୍ତି । ଏହି ସହାୟତା ରାଶି ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର (DBT) ମାଧ୍ୟମରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରାଯାଇଛି । ଯାହା ସୂଚନା ମିଳିଛି ବ୍ଲକ‌ରେ ସର୍ବାଧିକ ୨୧,୨୭୪ ଜଣ ହିତାଧିକାରୀ ରହିଥିବା ବେଳେ ଗାଇସିଲେଟରେ ୧୮,୮୫୫, ବିଜେପୁରରେ ୧୬,୧୮୩, ପାଇକମାଲରେ ୧୫,୮୬୮, ପଦ୍ମପୁରରେ ୧୫,୫୦୫, ବରପାଲିରେ ୧୫,୩୦୬, ଭେଡେନରେ ୧୪,୧୫୮, ଭଟଲିରେ ୧୨,୯୬୨, ବରଗଡ଼ ବ୍ଲକ୍‌ରେ ୧୨,୮୦୨, ଝାରବନ୍ଧରେ ୧୨,୧୩୯, ଅତାବିରାରେ ୧୧,୨୨୫ ଏବଂ ଅମ୍ବାଭନାରେ ୭,୩୧୪ ଜଣ ଚାଷୀ ଏହି ଯୋଜନାରେ ସାମିଲ ଅଛନ୍ତି । ସେହିପରି ପୌରାଞ୍ଚଳ ଗୁଡ଼ିକ ମଧ୍ୟରେ ବିଜେପୁର NAC ରେ ୪୯୩, ଅତାବିରା NAC ରେ ୩୭୭, ବରପାଲି NAC ରେ ୧୪୭, ବରଗଡ଼ ମ୍ୟୁନିସିପାଲିଟିରେ ୯୬ ଏବଂ ପଦ୍ମପୁର NAC ରେ ୯୪ ଜଣ ହିତାଧିକାରୀ ରହିଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top