

ବିଶ୍ୱ ପରିବେଶ ଦିବସ ଅବସରରେ ବିଜେପୁର ଏନଏସିରେ ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ


ବରଗଡ/ବିଜେପୁର : ଅଦ୍ୟ ତା.୦୫.୦୬.୨୦୨୬ ଶୁକ୍ରବାର ବିଶ୍ୱ ପରିବେଶ ଦିବସ ଅବସରରେ ବରଗଡ଼ ଜିଲ୍ଲା ବିଜେପୁର ଏନଏସି ଅଞ୍ଚଳରେ ବିକାଶର ନୂଆ ଅଧ୍ୟାୟ ଯୋଡି ହୋଇଛି । ଏହି ଅବସରରେ ବିଜେପୁରରେ ୧୨ ଗୋଟି ଜନହିତକର ଓ ପରିବେଶ ଅନୁକୂଳ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ବିଜେପୁର ଜମିଦାର ତଥା ମାନ୍ୟବର ବିଧାୟକ ସନତ କୁମାର ଗଡ଼ତିୟାଙ୍କ କରକମଳରେ ଉକ୍ତ ପ୍ରକଳ୍ପ ଗୁଡ଼ିକର ଶୁଭରମ୍ଭ ଓ ଉଦଘାଟନ ହୋଇଥିବା ବେଳେ ଏହି ଅବସରରେ ବିଜେପୁର ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ, କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞ ବିଭୁଦତ୍ତ ସାହୁ, ଏନଏସି ଅଧ୍ୟକ୍ଷା ସୀତା ବାରିକ, ସିଡିପିଓ ଏମ୍ରାନ୍ସିଆ ଏକ୍କା, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ବେହେରା, ଜେଇ ଅଜୟ ପାତ୍ରଙ୍କ ସମେତ ବହୁ ଜନପ୍ରତିନିଧି, କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଉଦଘାଟିତ ଓ ଭିତ୍ତିପ୍ରସ୍ତର ସ୍ଥାପିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୨୦ କିଲୋଓ୍ବାଟ୍ ରୁଫଟପ୍ ହାଇବ୍ରିଡ୍ ସୋଲାର ପ୍ରକଳ୍ପ, ଇଭି ଚାର୍ଜିଂ ଷ୍ଟେସନ, ୫୦୦ ଆସନ ବିଶିଷ୍ଟ ସିଡେଟ୍ ହଲ୍, କଲ୍ୟାଣ ମଣ୍ଡପ, ଦାମୋଦର କଟାଠାରେ ବୋଟିଂ ସୁବିଧା, ପାର୍ବତୀ ଗିରୀ କମ୍ପ୍ଲେକ୍ସ, ସହରାଞ୍ଚଳ ବନୀକରଣ ପ୍ରକଳ୍ପ, ସ୍ମାଟ୍ ପାର୍କ, ସହରାଞ୍ଚଳ ହାଟ, ଫୁଡ୍ କୋର୍ଟ, ବୈଦ୍ୟୁତିକ ଯାନ ପରିଚାଳନା ବ୍ୟବସ୍ଥା ଏବଂ ଆଧୁନିକ ଶୌଚାଳୟ ପରିଚାଳନା ବ୍ୟବସ୍ଥା ପ୍ରମୁଖ ରହିଛି ।


ଏହି ସମସ୍ତ ପ୍ରକଳ୍ପ ସହରର ଭିତ୍ତିଭୂମି ବିକାଶ, ପରିବେଶ ସୁରକ୍ଷା, ପର୍ଯ୍ୟଟନର ପ୍ରୋତ୍ସାହନ ଏବଂ ଜନସାଧାରଣଙ୍କ ସୁବିଧା ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରାଯାଉଛି । କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ବିଧାୟକ ସନତ କୁମାର ଗଡ଼ତୀୟା କହିଥିଲେ ଯେ, ବିଜେପୁର ଏନଏସିକୁ ଏକ ଆଧୁନିକ, ସ୍ୱଚ୍ଛ, ସୁନ୍ଦର ଓ ପରିବେଶବନ୍ଧ ସହର ଭାବେ ଗଢି ତୋଳିବା ପାଇଁ ସରକାର ଏବଂ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ବିଶ୍ୱ ପରିବେଶ ଦିବସ ଭଳି ଏକ ମହତ୍ୱପୂର୍ଣ୍ଣ ଦିନରେ ସୋଲାର ଶକ୍ତି, ଇଭି ଚାର୍ଜିଂ ଷ୍ଟେସନ ଏବଂ ସହରାଞ୍ଚଳ ବନୀକରଣ ଭଳି ପରିବେଶ ଅନୁକୂଳ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିବାରୁ ଏହା ଆଗାମୀ ଦିନରେ ସହରର ବିକାଶକୁ ନୂଆ ଦିଗ ଦେବ । ସେ ଆହୁରି କହିଥିଲେ, “ବିକାଶ ଓ ପରିବେଶ ସୁରକ୍ଷା ପରସ୍ପରର ପରିପୂରକ । ସବୁଜ ଶକ୍ତିର ବ୍ୟବହାର, ବୃକ୍ଷରୋପଣ, ସ୍ୱଚ୍ଛତା ଏବଂ ଆଧୁନିକ ନଗର ସୁବିଧା ମାଧ୍ୟମରେ ବିଜେପୁରକୁ ଏକ ଆଦର୍ଶ ସହର ଭାବେ ଗଢ଼ି ତୋଳିବା ପାଇଁ ଆମେ ପ୍ରତିବଦ୍ଧ । ଆଗାମୀ ଦିନରେ ମଧ୍ୟ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପ ହାତକୁ ନିଆଯିବ।” ବିଶ୍ୱ ପରିବେଶ ଦିବସରେ ଏଭଳି ଜନହିତକର ଏବଂ ପରିବେଶବନ୍ଧବ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ କରିଥିବା ବେଳେ, ବିଜେପୁରର ସାମଗ୍ରିକ ବିକାଶ ଦିଗରେ ଏହା ଏକ ମାଇଲଖୁଣ୍ଟ ବୋଲି ମତ ପ୍ରକାଶ ପାଇଛି ।





