

ବିଜେପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳନ
ବରଗଡ/ବିଜେପୁର : ବିଜେପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଭାରତୀୟ ସଂସ୍କୃତି, ପରମ୍ପରା ଏବଂ କାଳଗଣନାକୁ ସମ୍ମାନ ଜଣାଇବା ମାଧ୍ୟମରେ ଜାତୀୟତାବୋଧ, ସାଂସ୍କୃତିକ ଏକତା ଏବଂ ବିବିଧତା ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଟ୍ୟକାର ମୋହନ ସିଂ କହ୍ନେଇ ଯୋଗଦେଇ ଆଜିର ଦିନ ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟ୍ରୀୟ ନବବର୍ଷ ପାଳନର ମହତ୍ତ୍ୱ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ମଧ୍ୟରାତ୍ରର ଘନ ଅନ୍ଧାର ଭିତରେ ନବବର୍ଷର ସ୍ବାଗତ ଅପେକ୍ଷା ବର୍ଷ ପ୍ରତିପଦାର ନବ ପ୍ରଭାତର ମଙ୍ଗଳମୟ ମୁହୂର୍ତ୍ତ ଅଧିକ ବାସ୍ତବଧର୍ମୀ । ଏହି ପବିତ୍ର ପର୍ବ ଆମକୁ ନୂତନ ଆରମ୍ଭ, ନୂତନ ଚିନ୍ତନ ଓ ନୂତନ ସଂକଳ୍ପର ପ୍ରେରଣା ଦେଇଥାଏ ବୋଲି ବିଦ୍ୟାଳୟର ଆଚାର୍ଯ୍ୟା ସୁଶ୍ରୀ ମନ୍ଦାକିନୀ ସାହୁ ବୌଦ୍ଧିକ ପ୍ରଦାନ କରିଥିଲେ । ବିଦ୍ୟାଳୟର ସହ-ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସଦାନନ୍ଦ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।



