

ଆମ୍ବେଦକର ବିଚାରଧାରାରେ ମାନବୀୟ ସମ୍ବେଦନା
ସମ୍ବଲପୁର : ଡ. ଭୀମରାଓ ଆମ୍ବେଦକର ବାସ୍ତବରେ ମାନବୀୟ ସମ୍ବେଦନା, ସମାନତା ଏବଂ ସାମାଜିକ ନ୍ୟାୟର ପ୍ରତୀକ ଥିଲେ । ତାଙ୍କ ଜୀବନ ଏବଂ ବିଚାର ବିଶେଷ ଭାବରେ ମହିଳା, ଦଳିତ ଏବଂ ଶୋଷିତ ବର୍ଗର ଲୋକଙ୍କ ପାଇଁ ସମର୍ପିତ ଥିଲା । ତେଣୁ ତାଙ୍କ ବିଚାରଧାରାରେ ଉଦ୍ବୁଦ୍ଧ ହୋଇ ଆମେ ପ୍ରତ୍ୟେକ ନାଗରିକଙ୍କ ପ୍ରତି ମାନବୀୟ ସମ୍ବେଦନା ପ୍ରଦର୍ଶନ କରିବା ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସମ୍ବଲପୁର ସ୍ଥାନୀୟ ଓଡିଶା ସାଂସ୍କୃତିକ ସମାଜ ଭବନ ଠାରେ ଡ. ବି.ଆର ଆମ୍ବେଦକର ସୋସିଆଲ ଓ୍ବେଲଫେଆର ଫେଡେରେସନ, ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଘ, ଅଲ୍ ଓଡ଼ିଶା ଆଦିବାସୀ ସାଂସ୍କୃତିକ ସଂଘ ଏବଂ ଓ୍ବେସ୍କୋ ୟୁଟିଲିଟି ଏସ୍ସି ଏସ୍ଟି ଏମ୍ପ୍ଲଇଜ୍ ଓ୍ବେଲଫେଆର ଏସୋସିଏସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଭାରତର ସମ୍ବିଧାନର ମୁଖ୍ୟ ସ୍ଥପତି ଡ. ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି ।


ଫେଡରେସନର ସଭାପତି ଇଂ ଦ୍ବିତୀୟା ଗର୍ଡିଆଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ଓଏଏସ ଅଧିକାରୀ ଡ. ଗୁଣମଣି ସୁନାନୀ, ମୁଖ୍ୟବକ୍ତା ଭାବେ ଅଧୀକ୍ଷଣ ଯନ୍ତ୍ରୀ ଇଂ ବୀରେନ୍ଦ୍ର କୁମାର ଜଗତ, ସମ୍ମାନୀତ ଅତିଥି ଭାବେ ଓ୍ବେସ୍କୋ ୟୁଟିଲିଟି ସଂଘର ସଭାପତି ଜୟଦେବ ମିଞ୍ଜ, ମହିଳା ସଂଘର ସଭାପତି ଅନୁପମା ନାଗ ଏବଂ ଭୀମ ଆର୍ମୀର ସଭାପତି ଲଙ୍କେଶ ରାବଣ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ଫେଡରେସନର ସମ୍ପାଦକ କ୍ଷେତ୍ରମଣି ବିଭାର ସ୍ବାଗତ ଭାଷଣ ସହ ସଭା ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ମହିଳା ସଂଘର ସହ ସମ୍ପାଦକ ରଞ୍ଜୁ ଭୋସାଗର ଅତିଥି ସ୍ବାଗତ ଓ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସିବିଏସଇ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ମଦନାବତୀ ପବ୍ଲିକ ସ୍କୁଲର ଟପ୍ପର ତଥା ରାଜ୍ୟ ଏବଂ ଦେଶରେ ତୃତୀୟ ସ୍ଥାନ ଲାଭ କରିଥିବା ପ୍ରତିଭାବାନ ଛାତ୍ର ଦିବ୍ୟରଞ୍ଜନ ମନ୍ଦୋଦରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


ଏଥି ସହିତ ଆମ୍ବେଦକରଙ୍କ ଜୀବନୀ ଏବଂ ଅବଦାନ ଆଧାରୀତ ତର୍କ, ସାଧାରଣ ଜ୍ଞାନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତୀ ନଅ ଜଣ ଛାତ୍ରୀଙ୍କୁ ନଗଦ ପୁରସ୍କାର ସହ ପ୍ରଶସ୍ତି ପତ୍ର ଏବଂ ବାବାସାହେବଙ୍କ ଜୀବନୀ ପୁସ୍ତକ ପ୍ରଦାନ କରାଯାଇଥିଲା । ବରୁଣ ସୁନା ଏବଂ ମୋନାଲିସା ମହାନନ୍ଦଙ୍କ ସଂଯୋଜନାରେ ଗୀତାଞ୍ଜଳୀ ପୋଢ଼, ରମେଶ ସୁନା, ପୁଷ୍ପରାଜ ସୁନା, ବୀଣା ବାଗ ସଂଗୀତ ପରିବେଷଣ କରିଥିଲେ । ଘନଶ୍ୟାମ ମନ୍ଦୋଦରୀ, ପାରସ ହରିପାଲ, ଅମୀର ମହାନନ୍ଦ, ଦେବାଶୀଷ ବାଗ, କ୍ରିଷ୍ଣା ସିକନ୍ଦର ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗୀତା କରିଥିଲେ । ରାଜେଶ କୁମ୍ଭାର, ଜଗମୋହନ ନାଗ, ରିତେଶ ନାଗ, ଗଣେଶ ହରିପାଲ, ପଞ୍ଜମଲାଲ ତାଣ୍ଡି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ମହିଳା ସଂଘର ସହ-ସମ୍ପାଦିକା ବନୀତା ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ ।





