

ପଞ୍ଚାୟତ ସ୍ତରୀୟ ଅମ୍ବେଦକର ଜୟନ୍ତୀ ପାଳିତ
ବରଗଡ/ଭେଡେନ : ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ଅଇଁଲାପାଲି ତେନ୍ତୁଲିଟିକ୍ରା ଠାରେ ପଞ୍ଚାୟତ ସ୍ତରୀୟ ବିଶ୍ବରତ୍ନ ବି, ଆର, ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ଅତ୍ୟନ୍ତ ଆଡ଼ମ୍ବର ଓ ଉତ୍ସାହର ସହିତ ପାଳନ କରାଯାଇଛି । ଲକ୍ଷେ ଘର ଗଣ୍ଡା ସମାଜ ଆନୁକୂଲ୍ୟରେ ଆୟୋଜିତ ଉକ୍ତ ମହାସମାରୋହରେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଭେଡେନ ବି,ଡ଼ି,ଓ କର୍ଣ୍ଣ ସୁନା ଯୋଗଦେଇ ବାବା ସାହେବଙ୍କ ଜୀବନୀ ଓ ତାଙ୍କର ସମାଜ ପାଇଁ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଡଃ ଅମ୍ବେଦକର ମାନବ ସମତା, ଶିକ୍ଷା ଓଅଧିକାର ପାଇଁ ଯେପରି ଲଢ଼େଇ କରିଥିଲେ, ସେଥିପାଇଁ ସମସ୍ତ ପ୍ରେରଣାଦାୟକ । ସମ୍ମାନୀତ ଅତିଥିଭାବେ ଅବସରପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଗୁଣମଣୀ ସୁନାନୀ, ଅବସରପ୍ରାପ୍ତ ବିଦ୍ୟୁତକର୍ମଚାରୀ ଉର୍କୁଲୁ ତାଣ୍ଡି, ୟୁ କୋ ବେଙ୍କର ଅବସରପ୍ରାପ୍ତ ଅଧିକାରୀ ପରମେଶ୍ବର ଲୁହା ଓ ବିଭିନ୍ନ କଲେଜର ଅଧ୍ୟାପକ ମଧ୍ୟ ଉପସ୍ଥିତ ରହି ଆମ୍ୱେଦକରଙ୍କ ଆଦର୍ଶ ଅନୁସରଣ କରିସମାଜକୁ ଆଗକୁ ନେବାକୁ ଆହ୍ବାନ କରିଥିଲେ ।


କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ ବାବା ସାହେବଙ୍କ ଫଟୋରେ ପୁଷ୍ପାଞଳୀ ଅର୍ପଣ କରିଥିଲେ ଓ ତାଙ୍କ ଜୀବନ ଦର୍ଶନକୁ ସ୍ମରଣ କରିଥିଲେ । ସାମାଜିକ ସମାନତା, ଶିକ୍ଷାର ଗୁରୁତ୍ବ ଓ ସମ୍ବିଧାନର ମୂଲ୍ୟବୋଧ ଉପରେ ବିଭିନ୍ନ ଭାଷଣ ଦେଇଥିଲେ । ଶ୍ରୀମତୀ ପଦ୍ମିନୀ ଗଡତିଆ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ଗୋବିନ୍ଦ ମହାନନ୍ଦଙ୍କ ସମେତ ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ରୂପେ ସଫଳ ହୋଇଥିଲା । ଏହି ଉତ୍ସବ ମାଧ୍ୟମରେ ଅଞ୍ଚଳର ଲୋକମାନେ ବାବାସାହେବଙ୍କ ଆଦର୍ଶକୁ ଆହୁରୀ ଜାଣିବା ସହିତ ସମାଜରେ ସମତା ଓ ନ୍ୟାୟ ପ୍ରତି ସଚେତନତା ଦେଖାଯାଇଥିଲା । ଶେଷରେ ଶ୍ରୀଯୁକ୍ତ ଆନନ୍ଦ ସୁନି ଉପସ୍ଥିତ ସମସ୍ତ ଅତିଥି ଓ ଅଞ୍ଚଳର ଲକ୍ଷେ ଘର ଗଣ୍ଡା ସମାଜର ଭାଇଭଉଣୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





