ବରପାଲି ଶୀତଳ ଷଷ୍ଠୀ ତୃତୀୟ ଦିନରେ

ବରପାଲି ଶୀତଳ ଷଷ୍ଠୀ ତୃତୀୟ ଦିନରେ

ବରପାଲି : ବରପାଲି ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସରେ ଶିବ ପାର୍ବତୀ ଓ ନଟରାଜ ଶିବଙ୍କ ସ୍ନାନ ପରେ ଧୂପ, ଶତାଳତି ସମାପନ ହୋଇ, ପ୍ରାର୍ଥନା ପରେ ଭକ୍ତ ମାନଙ୍କ ଦ୍ବାରା ଭୋଗାର୍ପଣ ହୋଇଥିଲା । ଗତ କାଲି ଦେବ ଦେବ ମହାଦେବ ବାବା କପିଳେଶ୍ବରଙ୍କୁ ବିବାହ କରାଯିବାର ଚୂଡାନ୍ତ ହେଲାପରେ ମହାଦେବଙ୍କୁ ମହାସତୀ ଜଗତ ଜନନୀ ମାଁ ପାର୍ବତୀଙ୍କର ପ୍ରାପ୍ତି ନିମନ୍ତେ ରୁଦ୍ରଜ୍ଞ ଶୁଭାରମ୍ଭ ହୋଇଛି । ଏଥିରେ ସଦାନନ୍ଦ ଦାଶ, ନିରଞ୍ଜନ ଦାଶ, ସୁଦାମ ମିଶ୍ର, ଗୋପାଳ ମିଶ୍ର, ବଳରାମ ମିଶ୍ର ପ୍ରମୁଖ ପୂଜାକାର୍ଯ୍ୟ ତୁଲାଇଥିଲେ ।

ସନ୍ଧ୍ୟା ସମୟରେ ବାବା କପିଳେଶ୍ବରଙ୍କ ବିବାହ ନିମନ୍ତେ ଦେବ ନିମନ୍ତ୍ରଣ ସକାଶେ ଭୈରବ ବାବାଙ୍କ ଶୋଭାଯାତ୍ରା (ଭଇରୋ ବୁଲା) ଭଣ୍ଡାର ଗୃହରୁ ବାହାରି ରାଜବାଟି ସୁନାରୀପଡା, ଦେଇ କପିଳେଶ୍ବର ନଗର ମନ୍ଦିର ପହଞ୍ଚିବେ । ପରେ ମନ୍ଦିରରୁ ବାହାରି ରେଲଓ୍ବେ ଛକ, ହାଇସ୍କୁଲ ରୋଡ଼ ଦେଇ ଶ୍ୟାମାଛକ ଦେଇ ଡାକ୍ତର ଖାନା ମୁଖ୍ୟ ଛକ ଦେଇ ମଧ୍ୟପଡା, କୁଷ୍ଠା ପଡା, ରାଜବାଟି ଦେଇ ଭଣ୍ଡାର ଗୃହକୁ ପରିକ୍ରମା ସହ ପହଞ୍ଚଥିଲେ । ବସ୍ତିର ବିଭିନ୍ନ ସ୍ଥାନରେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହେବା ସହିତ ମଧ୍ୟ ରାତ୍ର ସମୟରେ ଶ୍ରୀ ଶ୍ରୀ ରାମେଶ୍ବର ବାବା ଶିବ ମନ୍ଦିରରେ ମହାଦୀପ ସଂସ୍ଥାପନ ହୋଇଥିଲା । ୧୮ ତାରିଖ ଗୁରବାର ଦିନ ଗଣ୍ଠିଆଲ ଫିଟା ,ମା ପାର୍ବତୀଙ୍କ ହିମାଦ୍ରୀ ନଗର ମଣ୍ଡପକୁ ଆଗମନ ପରେ ଅଭିଷେକ, ଅଳଙ୍କାର ଧାରଣ ଓ ରାତ୍ରିରେ ବାବା କପିଳେଶ୍ବରଙ୍କ ବରାନୁଗମନ କାର୍ଯ୍ୟକ୍ରମ ରହିଛି । ହିମାଦ୍ରୀ ନଗର ପକ୍ଷରୁ କଲସ ଶୋଭାଯାତ୍ରା ହୋଇ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଭକ୍ତ ମାନଙ୍କୁ ନେଇ ଜଳ ଆଣି ମଣ୍ଡପରେ ସ୍ଥାପନ କରାଯିବା ପାଇଁ କମିଟି ପକ୍ଷରୁ ସିଦ୍ଧାନ୍ତ ହୋଇଛି ।

ରାଜବାଟି ମଣ୍ଡପରେ ତାରକାସୁର ରାଜ କାର୍ଯ୍ୟକ୍ରମ ସହ ଆଶିଷ କୁମ୍ଭାର ଅର୍କେଷ୍ଟ୍ରା ଅନୁଷ୍ଠିତ ହୋଇଥିବା ବେଳେ ହାଇସ୍କୁଲ ଖେଳାପଡ଼ିଆ ଠାରେ ଅନୁଷ୍ଠିତ ନାଟରାଜ ଉତ୍ସବରେ ଢଳିଆ ଖୁଶା, ବାସନ୍ତୀ କଳାପରିଷଦର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ନଟରାଜ ଉତ୍ସବକୁ ଯାତ୍ରା କମିଟି ବରପାଲି ଥାନା IIC ପ୍ରମୋଦ କୁମାର ସାହୁ ଉଦଘାଟନ କଲେ । ଯାତ୍ରା କମିଟି ତରଫରୁ ପଦ୍ମଲୋଚନ ସାହୁ, ସୁଧୀର ଗଡ଼ତିଆ, ବିକ୍ରମ ସାହୁ, ଚନ୍ଦନ ସାହୁ, ବବୁଲ ପୃଷ୍ଟି, ଶିବରଞ୍ଜନ ନାଏକ, ଫିରୋଜ ନାଏକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top