

ନିଆରା ଢ଼ଙ୍ଗରେ ବୃକ୍ଷ ମାନଙ୍କୁ ରକ୍ଷାବନ୍ଧନ


ସମ୍ବଲପୁର : ସବୁଜ ବୃକ୍ଷରାଜି ପରିବେଷ୍ଟିତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଐତିହାସିକ ବୁଢ଼ାରଜା ଜଙ୍ଗଲ ସମ୍ବଲପୁରର ଫୁସଫୁସ୍ ଭାବେ ସୁପରିଚିତ । ସତେଇଶ ବର୍ଷ ତଳେ ୨୦୦୦ ମସିହାରେ ସର୍ବ ପ୍ରଥମେ ବୁଢ଼ାରଜା ଜଙ୍ଗଲରେ ବନ ସଂରକ୍ଷଣ ସମିତି ପକ୍ଷରୁ ପୂଜାର୍ଚ୍ଚନା ପୂର୍ବକ ବୃକ୍ଷମାନଙ୍କୁ ରାକ୍ଷୀବାନ୍ଧି ରକ୍ଷାବନ୍ଧନ ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ସେହି ବର୍ଷଠାରୁ ପ୍ରତିବର୍ଷ ବୃକ୍ଷ ମାନଙ୍କ ସହିତ ଏହି ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇ ଆସୁଅଛି । ଶନିବାର ପୂର୍ବାହ୍ନରେ ବୁଢ଼ାରଜା ଜଙ୍ଗଲ ପାଦଦେଶରେ ବରିଷ୍ଠ ସମାଜସେବୀ ତଥା ବିଶିଷ୍ଟ ପରିବେଶବିତ, ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାରଙ୍କ ତତ୍ତ୍ୱାବଧାନରେ ବୁଢ଼ାରଜା ବନ ସଂରକ୍ଷଣ ସମିତିର କର୍ମକର୍ତ୍ତା ଓ ସଭ୍ୟସଭ୍ୟା, ରାମକଲି ଦେବୀ ଟ୍ରଷ୍ଟ ଜୁନିୟର କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ/ଅଧ୍ୟାପିକା ସହରର ପରିବେଶ ପ୍ରେମୀ ସମେତ ଶତାଧିକ ଭଦ୍ରବ୍ୟକ୍ତି/ଭଦ୍ରମହିଳା ସମବେତ ହୋଇ ବୃକ୍ଷ ମାନଙ୍କ ପୂଜାର୍ଚ୍ଚନା କରିବା ସହ ବୃକ୍ଷ ମାନଙ୍କୁ ରାକ୍ଷୀ ବାନ୍ଧିଥିଲେ। “ଗଛ ଆମର ଭାଇ, ଗଛ ମାନଙ୍କୁ କାଟିବ ନାହିଁ / ବୃକ୍ଷ ହିଁ ଜୀବନ / ବୃକ୍ଷ ଆମର ବନ୍ଧୁ / ଗଛ ବଞ୍ଚିଲେ ଆମେ ବଞ୍ଚିବା / ପରିବେଶ ସୁରକ୍ଷା ଜୀବନ ରକ୍ଷା ଆଦି ସ୍ଲୋଗାନ୍ ଓ ଶଙ୍ଖଘଣ୍ଟ ହୁଳହୁଳି ଧ୍ବନୀରେ ବୁଢ଼ାରଜା ଜଙ୍ଗଲର ଗଗନ ପବନ ମୁଖରିତ ହୋଇ ଉଠିଥିଲା | ବୁଢ଼ାରଜା ବନ ସଂରକ୍ଷଣ ସମିତିର ସଭାପତି ପ୍ରକୃତିବନ୍ଧୁ ମେଘୁ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରକ୍ଷାବନ୍ଧନ ଉତ୍ସବରେ ପରିବେଶବିତ୍ ଶ୍ରୀଯୁକ୍ତ ବହିଦାର ଚାରାରୋପଣ କରି “ଆମ୍ଭେମାନେ ପ୍ରକୃତି ଏବଂ ପରିବେଶର ସୁରକ୍ଷା କଲେ, ପ୍ରକୃତି ଆମ୍ଭ ମାନଙ୍କର ସୁରକ୍ଷା କରିବ” ବୋଲି ସମସ୍ତଙ୍କୁ ଉଦ୍’ବୋଧନରେ ଦେଇଥିଲେ | ସମିତିର ସମ୍ପାଦକ ହେମସାଗର ସାହୁ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ | ବରିଷ୍ଠ ଚାଷୀନେତା ରାମ ସାଗର ସାହୁ, ଯୁବ ସମାଜସେବୀ ଶଶାଙ୍କ ଶେଖର ସ୍ୱାଇଁ ଅତିଦି ଭାବେ ଯୋଗଦେଇ ଉତ୍ସାହିତ କରିଥିଲେ । ଏହି ନିଆରା ରକ୍ଷାବନ୍ଧନ ଉତ୍ସବରେ ବିଶ୍ୱପତି ବେହେରା, ବିଶ୍ୱଜିତ ପାଢ଼ୀ, ସୁଶାନ୍ତ କୁମାର ସିଂହ, ପ୍ରସନ୍ନ କୁମାର ସରକାର, ସୁନୀଲ ପଣ୍ଡା, ଗୀତାଞ୍ଜଳୀ ନନ୍ଦ, ପ୍ରଭାତୀ ରଥ, ଗୀତାଞ୍ଜଳୀ ସାହୁ, କୁଳମଣି ସେଠ, ଯୁଷ୍ମାନ୍ ରାଣା, ଶ୍ରବଣ କୁମାର ପତି, ମଳୟ କୁମାର ଭୋଇ ଆଦି ଶତାଧିକ ପରିବେଶ ପ୍ରେମୀ ସାମିଲ ଥିଲେ । ସମିତିର ସଭ୍ୟ ସୁକାନ୍ତ ପରିଡ଼ା ଧନ୍ୟବାଦ ଜ୍ଞାପନ କରିଥିଲେ । ପରେ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ବୁଢ଼ାରଜା ପାହାଡ଼ରେ ବହୁ ସଂଖ୍ୟାରେ ବୃକ୍ଷଚାରା ରୋପଣ କରାଯାଇଥିଲା ।





