କର୍ଭଭୂମି ବିଜେପୁରରେ ଗଙ୍ଗାଧର ଜୟନ୍ତୀ

ଆଦର୍ଶ ଜୀବନଚର୍ଯ୍ୟା ପାଇଁ ଗଙ୍ଗାଧର ସାହିତ୍ୟର ପ୍ରାସଙ୍ଗିକତା ରହିଛି

ବରଗଡ/ବିଜେପୁର : ବରଗଡ ଜିଲ୍ଲା କର୍ମଭୂମି ବିଜେପୁରରେ ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ବଭାବକବି ଗଙ୍ଗାଧର ମେହେର ଜୟନ୍ତୀ ଉତ୍ସବ ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ଓଏଭି ଅଧ୍ୟକ୍ଷ ମୁରାରୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସ୍ବତନ୍ତ୍ର ଅତିଥି ଭାବେ ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ ଉପସ୍ଥିତ ରହି ଏହାର ଶୁଭ ଉଦଘାଟନ କରିଥିଲେ । ସଭାରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ବିଇଓ ଘନଶ୍ୟାମ ସାହୁ, ମୁଖ୍ୟବକ୍ତା ଭାବେ ତୁଣ୍ଡଲା (କଲାହାଣ୍ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଗୋବିନ୍ଦ ଭୋଇ ଉପସ୍ଥିତ ରହି ଗଙ୍ଗାଧରଙ୍କ ଜୀବନୀ ଓ ସାହିତ୍ୟ ସାଧନା ଉପରେ ବିଶେଷ ମତ ମନ୍ତବ୍ୟ ପ୍ରଦାନ କରିଥିଲେ । ସାମ୍ପ୍ରତିକ ସମୟରେ ଆଦର୍ଶ ଜୀବନଚର୍ଯ୍ୟା ପାଇଁ ଗଙ୍ଗାଧର ସାହିତ୍ୟର ପ୍ରାସଙ୍ଗିକତା ରହିଛି ବୋଲି ମତପ୍ରକାଶ ପାଇଥିଲା । କଣ୍ଠଶିଳ୍ପୀ ସୁଷମା ଭୋଇ ଅମୃତମୟ ସଙ୍ଗୀତ ପରିବେଷଣ କରିଥିଲେ । ଉପ-ସଭାପତି ହୃଦମଣି ସାହୁ ସ୍ବାଗତ ବକ୍ତବ୍ୟ, ସମ୍ପାଦକ ରାଜେଶ୍ବର ବେହେରା ଅତିଥି ପରିଚୟ, ସହ-ସମ୍ପାଦକ ମକରଧ୍ବଜ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ରୁଦ୍ରାଣୀ ବାନ୍ଧକଳା ପାଇଁ ରାଜ୍ୟପାଳଙ୍କ ନିକଟରୁ ସମ୍ମାନୀତ ହୋଇଥିବା ଏମ୍. ଶ୍ରୀଗିଡାର ବାସୁଦେବ ମେହେରଙ୍କୁ ପରିଷଦ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ କବି ଯୁଗେଶ୍ବର ତାଣ୍ଡି ମାନପତ୍ର ପଠନ କରିଥିଲେ । ପରେ ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । କବି ସାବିତ୍ରୀ ମେହେର, ଅଧ୍ୟାପିକା ରଶ୍ମିରେଖା ବାରିକ, ଡିଲେଶ୍ବର ମେହେର, ନିର୍ମଳ ମେହେର, ଦେବାଶିଷ ମେହେର, ଯୁବରାଜ ଦୀପ ପ୍ରମୁଖ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଯୁବକବି ଆଶୁତୋଷ ମହାପାତ୍ର ଜୟନ୍ତୀ ସମାରୋହର ପରିଚାଳନା କରିଥିଲେ । ଶିକ୍ଷକ ଡମ୍ବରୁଧର ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଜୟନ୍ତୀ ସଭା ପ୍ରାରମ୍ଭରୁ ସ୍ଥାନୀୟ ମେହେର ମଧ୍ୟପଡା ସ୍ଥିତ ସ୍ବଭାବକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ପରିଷଦ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top