ସ୍ଵାଧୀନତା ପରେ ଏସସି ଏସଟି ଓ ଓବିସି ବର୍ଗ ପାଇଛି କଣ

ଆତ୍ମସମ୍ମାନ ସହ ବଞ୍ଚିବାର ଅଧିକାର ହିଁ ପ୍ରକୃତ ସ୍ବାଧୀନତା

ସମ୍ବଲପୁର : ପଶ୍ଚିମ ଓଡ଼ିଶା ଦଳିତ ସୁରକ୍ଷା ପରିଷଦ ପକ୍ଷରୁ ସମ୍ବଲପୁର ସ୍ଥାନୀୟ ସାମ୍ବାଦିକ ଭବନ ଠାରେ “ସ୍ବାଧୀନତା ପରେ ଏସଟି ଏସସି ଓବିସି ବର୍ଗ ପାଇଛି କଣ?” ଶିର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ନିହାଳ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡଭୋକେଟ ଡ଼.କିଶୋର ଜେନା ଉପସ୍ଥିତ ରହି ଆତ୍ମସମ୍ମାନର ସହିତ ବଞ୍ଚିବାର ଅଧିକାର ହିଁ ପ୍ରକୃତ ସ୍ବାଧୀନତା ବୋଲି କହିଥିଲେ । କାର୍ଯ୍ୟକ୍ରମରେ ବ୍ୟଙ୍ଗ କବି ଗଦାଧର ନିଆଲ ସ୍ବତନ୍ତ୍ର ଅତିଥି ଭାବେ ଉପସ୍ଥିତ ଥିବା ବେଳେ ରୂପାଞ୍ଜଳୀ ରଣବିଡା, କଲ୍ପନା ନାଏକ, ଅମିନ ମହାନନ୍ଦ, ଜମୁନା ସିକା, ରଜନୀ ମହାନନ୍ଦ, ହେମନ୍ତ ମହାନନ୍ଦ, ଝସକେତନ ଦିପ, ଯୋଗେନ୍ଦ୍ର ମଲ୍ଲିକ, ଭବାନୀଶ ଭୋଇ ପ୍ରମୁଖ ଆଲୋଚକ ସାମିଲ ଥିଲେ । କାର୍ଯ୍ୟକ୍ରମରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ କର୍ମସଂସ୍ଥାନ କ୍ଷେତ୍ରରେ ଏସଟି ଏସସି ଓବିସି ବର୍ଗ ଅବହେଳାର ଶିକାର ହୋଇ ରହିଥିବା ମତ ପ୍ରକାଶ ପାଇଥିଲା ।

ଏହାର ସମାଧାନ ପାଇଁ ସାମୁହିକ ପ୍ରୟାସ ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହାସହ ଭିମରାଓ ଆମ୍ବେଦକର ସାମ୍ବିଧାନିକ ବ୍ୟବସ୍ଥାରେ ଅବହେଳିତ ବର୍ଗରୁ ସଂରକ୍ଷିତ ଆସନରୁ ୧୨୦ ସାଂସଦ ଏବଂ ଓଡ଼ିଶାରେ ୫୬ ଜଣ ବିଧାୟକ ନିର୍ବାଚନ ଜିତୁଥିବା ସତ୍ତ୍ବେ ସାମ୍ବିଧାନିକ ଅଧିକାର ପହଞ୍ଚାଇବାରେ ଅକ୍ଷମ ରହିଥିବା ବକ୍ତାମାନେ ମତ ରଖିଥିଲେ । ଏହି ଅବସରରେ ଭାରତର ୮୦ ତମ ସ୍ବାଧିନତା ଦିବସ ସହିତ ସମାଜ ସଂସ୍କାରକ, ଦୁଃଖି ଗରିବ ପ୍ରେମୀ ବ୍ୟଙ୍ଗଶ୍ରୀ କବି ଗଦାଧର ନିଆଲଙ୍କ ୫୪ତମ ଜନ୍ମଦିନ ସମାରୋହରେ ପାଳିତ ହୋଇଥିଲା । ଦୂର ନିକଟରୁ ଆସି ପୁଷ୍ପଗୁଚ୍ଛ, ଉପଢୌକନ, ଉପହାର, ବକ୍ତବ୍ୟ, କବିତା ତଥା ଗୀତ ମାଧ୍ୟମରେ ବ୍ୟଙ୍ଗଶ୍ରୀ ନିଆଲଙ୍କୁ ନିଆଲ ପ୍ରେମୀଗଣ ଶୁଭେଚ୍ଛା ଜ୍ଞାପନ କରିଥିବା ବେଳେ ବିଜେପୁରରୁ ଜଗନ୍ନାଥ କୁମ୍ଭାର ପହଞ୍ଚି “ଆଏଜ୍ ଜନମ୍ ଦିନ୍ ମୋର୍ ମୁଇଁ ହଁସି ନାଇଁ ପାରୁଛେଁ କି କାନ୍ଦି ନାଇଁ ପାରୁଛେଁ” ଗୀତି କବିତା ଉତ୍ସର୍ଗିକୃତ ଉପସ୍ଥାପନ କରି ବ୍ୟଙ୍ଗଶ୍ରୀ ନିଆଲଙ୍କ ହୃଦୟ କିଣିଥିଲେ । ଏହାପରେ ସମସ୍ତଙ୍କୁ ଧନ୍ୟବାଦ୍ ପୂର୍ବକ କାର୍ଯ୍ୟକ୍ରମ ସମାପିତ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top