୨୧ରେ ବିଜେପୁରରେ ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତା

୨୧ରେ ବିଜେପୁରରେ ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତା

ବରଗଡ/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ବ୍ଲକସ୍ତରୀୟ ଗଙ୍ଗାଧର ମେହେର ସାହିତ୍ୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ପରିଷଦର ମଙ୍ଗୁଆଲ ଡକ୍ଟର ପ୍ରଦୀପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସଂପାଦକ ରାଜେଶ୍ବର ବେହେରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପରେ ବ୍ଲକସ୍ତରୀୟ ଗଙ୍ଗାଧର ମେହେର ସାହିତ୍ୟ ପ୍ରତିଯୋଗିତା ପାଇଁ ବିଭିନ୍ନ ଆଲୋଚନା ହୋଇଥିଲା । ଆଗାମୀ ୨୧ରେ ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ଏହି ପ୍ରତିଯୋଗିତା କରାଯିବାକୁ ସ୍ଥିର ହୋଇଛି । ଉ.ପ୍ରା ବିଦ୍ୟାଳୟରୁ ଡିଗ୍ରୀ ମହାବିଦ୍ୟାଳୟ ସ୍ତରର ପିଲାଙ୍କ ମଧ୍ୟରେ ମେହେର ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହେବ । ସେହିପରି ଉଚ୍ଚ ପ୍ରାଥମିକ ବିଭାଗରେ ‘ଆଦର୍ଶ ଚେତନାର ବାର୍ତ୍ତାବହ ଗଙ୍ଗାଧର’ ମାଧ୍ୟମିକ ବିଭାଗରେ “ସତୀତ୍ବ ପରାକାଷ୍ଠା ପ୍ରଦର୍ଶନରେ ଗଙ୍ଗାଧର ସିଦ୍ଧହସ୍ତ”, ଉଚ୍ଚ ମାଧ୍ୟମିକ ବିଭାଗରେ “ପ୍ରଣୟବଲ୍ଲରୀ କାବ୍ୟରେ ଶକୁନ୍ତଳା ଏକ କରୁଣାସିକ୍ତ ସମ୍ବେଦନଶୀଳ ଚରିତ୍ର “, ମହାବିଦ୍ୟାଳୟ ବିଭାଗରର “ଗଙ୍ଗାଧରଙ୍କ ‘ଭକ୍ତି’ କବିତା ପରିବେଷଣରେ କାବ୍ୟିକ ଯୌକ୍ତିକତା “ଶୀର୍ଷକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉଚ୍ଚ ମାଧ୍ୟମିକ ବିଭାଗର ବକ୍ତୃତାରେ “ତାକୁ ମଧ୍ୟରେ ବୋଲୁଥାନ୍ତି ଧର୍ମାବତାରରେ ସଂସ୍କାର ଏକ ପ୍ରମୁଖ ବିନ୍ଦୁ”, ମହାବିଦ୍ୟାଳୟ ବିଭାଗର ତର୍କରେ “ତପସ୍ବିନୀ କାବ୍ୟରେ ସୀତା ଚରିତ୍ରର ବିକାଶରେ ନିଦ୍ରା ଦେବୀଙ୍କ ଭୂମିକା ରହିଛି କି?” ପ୍ରସଙ୍ଗ ନିର୍ଦ୍ଧାରିତ ହୋଇଛି । କୋଷାଧ୍ୟକ୍ଷ ଦେବାଶିଷ ମେହେର, କବି ସାବିତ୍ରୀ ମେହେର, ଯୁଗେଶ୍ବର ତାଣ୍ଡି, ଡିଲେଶ୍ବର ମେହେର, ଆଶୁତୋଷ ମହାପାତ୍ର, ଯୁବରାଜ ଦୀପ, ପୂର୍ଣ୍ଣ ମେହେର ପ୍ରମୁଖ ଯୋଗଦେଇ ଆଲୋଚନାରେ ସାମିଲ ହୋଇଥିଲେ । ସହ ସଂପାଦକ ମକରଧ୍ବଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top