

ଭକ୍ତିମୟ ପରିବେଶରେ ବୁଡାପାଲି ବାହୁଡାଯାତ୍ରା ସମ୍ପନ୍ନ


ବରଗଡ/ବିଜେପୁର : ପୁରୀ ଶ୍ରୀକ୍ଷେତ୍ର ସମେତ ସାରା ରାଜ୍ୟରେ ବିଭିନ୍ନ ଗ୍ରାମରେ ପ୍ରତି ବର୍ଷ ରଥଯାତ୍ରା ଓ ବାହୁଡାଯାତ୍ରା ଯଥାବିଧି ପାଳିତ ହୋଇଆସୁଥିବା ବେଳେ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବୁଡାପାଲି ଗ୍ରାମରେ ଗୌନ୍ତିଆ ରାମପ୍ରସାଦ ସାହୁଙ୍କ ତତ୍ତ୍ବାବଧାନରେ ଚଳିତ ବର୍ଷ ବାହୁଡାଯାତ୍ରା ଭକ୍ତିମୟ ପରିବେଶରେ ପାଳିତ ହୋଇଯାଇଛି । ଗାଆଁ ଦାଣ୍ଡରେ ପ୍ରତ୍ୟେକ ଦ୍ବାରରେ ମହାପ୍ରଭୂଙ୍କ ପୂଜାର୍ଚ୍ଚନା ପୂର୍ବକ ଭକ୍ତମାନେ ଦର୍ଶନ କରିଥିଲେ ।


ବାୟକ ଗଂସ ସାହୁ, ଭରତ ବେହେରା, ଗାୟକ ଅନନ ସାହୁ, ପାଲିଆ ଗାୟକ ଜନ୍ମ ନାଏକଙ୍କ ସମେତ ଦଳର ସମସ୍ତେ ମୃଦଙ୍ଗ, ତାଳ, ଶଙ୍ଖ, ଘଣ୍ଟର ମିଳିତ ରଥଯାତ୍ରାର ସ୍ବତନ୍ତ୍ର ମହାପ୍ରଭୂଙ୍କ ବାଦ୍ୟ, ତାଳ, ଲୟରେ ପ୍ରଭୂଙ୍କୁ ପୂଜାର୍ଚ୍ଚନା ଓ ବରଣ କରି ରଥ ପରିକ୍ରମା ପରେ ରଥରେ ବିଜେ କରାଯାଇଥିଲା । ରଥ ସମ୍ମୁଖରେ ଭକ୍ତମାନେ ଖୋଲତାଳ ସହିତ ନୃତ୍ୟଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।


ଏହି ଅବସରରେ ଦର୍ଶନାଭିଳାଷି ଭକ୍ତ ତଥା ଦର୍ଶକ ମାନଙ୍କ ପାଇଁ ସୁଆଁଲି ପିଠା, ପାନ୍ତୁଆ, ଜିଲାବି, ଖିରି, ଲେମ୍ବୁ ସରବତ ଆଦି ଭୋଗ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ସନ୍ଧ୍ୟା ସମୟରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିଶିପାଲି ଓ ବୁଡାପାଲି ଉଭୟ ଗ୍ରାମର ଓଦଣ୍ଡ କିର୍ତ୍ତନ୍ୟ ଦଳର କଳା ପରିବେଷଣରେ ଗ୍ରାମ ତଥା ଅଖପାଖ ଗ୍ରାମର ଅସଂଖ୍ୟ ଆାବାଳ ବୃଦ୍ଧବନୀତା ମନ୍ତ୍ରମୁଗ୍ଧ ହୋଇଥିଲେ ।


ଦିନ ଦି’ପହରରୁ ଆରମ୍ଭ ହୋଇଥିବା ଉକ୍ତ ବାହୁଡାଯାତ୍ରା ଆୟୋଜନରେ ଗୌନ୍ତିଆ ରାମପ୍ରସାଦ ସାହୁ, ବାବୁଲାଲ ସାହୁ, ଉଜ୍ଜ୍ବଳ ବରିହା, କୁବେର ସାହୁ, ସୁବାସ ମେହେର ସାମିଲ ଥିବା ବେଳେ ଗ୍ରାମବାସୀ ଓ ଯୁବପୀଢି ସହଯୋଗ କରିଥିଲେ ।





