

ନିମ୍ନମାନର ଛତୁଆ ବଣ୍ଟନ ଅଭିଯୋଗର ତଦନ୍ତ ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟାଙ୍କ ବରଗଡ଼ ଗସ୍ତ
ବରଗଡ଼ : ବରଗଡ଼ ଜିଲ୍ଲାର କେତେକ କେନ୍ଦ୍ରରେ ନିମ୍ନମାନର ପୋକ ବାହାରୁଥିବା ଛତୁଆ ବଣ୍ଟନ ହେଉଥିବା ଅଭିଯୋଗ ଅନୁଯାୟୀ ଓ ଏସସିପିସିଆର ଠାରେ ରୁଜୁ ହୋଇଥିବା କେସ୍ ନଂ- ୯୨/୨୦୨୬ ର ତଦନ୍ତ ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ଶ୍ରୀମତୀ କଳ୍ପନା ଲେଙ୍କା ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତରେ ଆସି କେତେକ ଅଙ୍ଗନଓ୍ବାଡ଼ି ଓ ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବା ସହ ଛତୁଆର ମାନ ଯାଞ୍ଚ କରିଛନ୍ତି । ଅଭିଯୋଗ ଅନୁଯାୟୀ ଶ୍ରୀମତୀ ଲେଙ୍କା ବରଗଡ଼ ପୌରାଞ୍ଚଳର ୱାର୍ଡ ନଂ-୧୫, ଗୋବିନ୍ଦପାଲି ସ୍ଥିତ ସୂର୍ଯ୍ୟମୁଖୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଛତୁଆ ପ୍ରସ୍ତୁତି କେନ୍ଦ୍ର, ପ୍ରିୟଦର୍ଶିନୀ ଛତୁଆ କେନ୍ଦ୍ର ଏବଂ ମାଷ୍ଟରଟିକ୍ରା ଅଙ୍ଗନଓ୍ବାଡ଼ି କେନ୍ଦ୍ର ପରିଦର୍ଶନ କରି ଛତୁଆର ଗୁଣବତ୍ତା, ସଂରକ୍ଷଣ ବ୍ୟବସ୍ଥା ଓ ବଣ୍ଟନ ପ୍ରକ୍ରିୟାର ସମୀକ୍ଷା କରିବା ସହ ସ୍ଥାନୀୟ କର୍ମଚାରୀ ଏବଂ ସଂପୃକ୍ତ ପକ୍ଷମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କ ସମୀକ୍ଷା କରିବା ସହ ଛତୁଆର ଗୁଣବତ୍ତା ନିୟନ୍ତ୍ରଣ, ସଂରକ୍ଷଣ, ଯୋଗାଣ ବ୍ୟବସ୍ଥା, ନିରୀକ୍ଷଣ ପ୍ରକ୍ରିୟା ଏବଂ ହିତାଧିକାରୀମାନଙ୍କୁ ନିରାପଦ ଓ ଗୁଣବତ୍ତା ସମ୍ପନ୍ନ ପୁଷ୍ଠିକର ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ସେ ତାଙ୍କ ଗସ୍ତର ଉଦ୍ଦେଶ୍ୟ ଓ ତଦନ୍ତ ସମ୍ପର୍କିତ ତଥ୍ୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମଧୁଛନ୍ଦା ସାହୁଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସନ୍ଧ୍ୟାରଣୀ ନେପାକ, ଡିସିପିଓ ମଞ୍ଜୁ ଇକା, ବରଗଡ଼ ସାଂସଦ ପ୍ରତିନିଧି ଲିପ୍ସିତ ମିଶ୍ର, ସହରାଞ୍ଚଳ ସିଡିପିଓ ରେଣୁକା ଷଡ଼ଙ୍ଗୀ, ପିଓ-କମ୍-ସୁପରିଣ୍ଟେଣ୍ଡେଣ୍ଟ ମଙ୍ଗଳିକା ଦାଶ, ଜିଲ୍ଲାର ସମସ୍ତ ସିଡିପିଓ, ଡିସିପିୟୁ ସମାଜକର୍ମୀ ସୁରେନ୍ଦ୍ର ଦାଶ, ଚାଇଲ୍ଡ ହେଲ୍ପଲାଇନ୍ ସଂଯୋଜକ ସଞ୍ଜୟ ଶତପଥି, ବରଗଡ଼ ଶିଶୁ କଲ୍ୟାଣ ସମିତି ଓ ଡିସିପିୟୁର କର୍ମଚାରୀ ବୃନ୍ଦ ଏବଂ ଏଏସଆଇ ଭଗତ ସିଂହ ମାଝୀ ଓ ଟାଉନ ଥାନାର କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।


