

ତାଲପଦର ଶିଶୁ ମନ୍ଦିରର ବାର୍ଷିକୋତ୍ସବ
ବରଗଡ/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ସରସ୍ବତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ, ଛାତ୍ରଛାତ୍ରୀ, ଅଭିଭାବକ, ଗୁରୁଜୀ/ଗୁରୁମା, ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ଦେଶ୍ୟରେ “ସରସ୍ବତୀ ଶିଶୁମନ୍ଦିର ପରି ଶିକ୍ଷାନୁଷ୍ଠାନ କେବଳ ପୁସ୍ତକୀୟ ଶିକ୍ଷା ନୁହେଁ, ଶିଶୁମାନଙ୍କ ମନରେ ସଂସ୍କାର, ଶିଷ୍ଟାଚାର, ଦେଶଭକ୍ତି ଓ ନୀତିମୂଲ୍ୟ ଗଢ଼ି ତୋଳୁଛି। ଆଜିର ଶିଶୁ ହିଁ ଆସନ୍ତାକାଲିର ଦେଶର ଭବିଷ୍ୟତ” ବୋଲି କହିଥିଲେ । ଆହୁରି କହିଥିଲେ ଯେ ଗୁରୁଜୀ, ଗୁରୁମା, ଅଭିଭାବକ ଓ ସମାଜ ଏକାଠି ହୋଇ ଯଦି ଶିଶୁମାନଙ୍କୁ ସଠିକ୍ ଦିଗରେ ନେତୃତ୍ୱ ଦେବେ, ତେବେ ଦେଶ ନିଶ୍ଚିତ ଭାବେ ଉନ୍ନତିର ପଥରେ ଆଗକୁ ବଢ଼ିବ । ଶିକ୍ଷା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁମାନଙ୍କ ଲୁକ୍ତ ପ୍ରତିଭାକୁ ଉଦ୍ଘାଟିତ କରେ ବୋଲି ସେ ମତ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ଡୁଙ୍ଗୁରିପାଲି ବିଇଓ ଗଣେଶ କିସାନ ଯୋଗଦେଇ ଗୁରୁଜୀ ଗୁରୁମାଙ୍କ ନିଷ୍ଠା ଓ ଅଭିଭାବକଙ୍କ ସହଯୋଗ ଶିଶୁମାନଙ୍କ ସମଗ୍ର ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି କହିଥିଲେ ।ଏହି ଅବସରରେ ମୁଖ୍ୟବକ୍ତା ଭାବେ ଓଡିଆ ଅଧ୍ୟାପକ (ସତଲମା) ଲୋକବନ୍ଧୁ ପଧାନ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ବାସୁଦେବ ପଧାନ ସଭାପତିତ୍ୱ କରିଥିବା ବେଳେ ସୁଶାନ୍ତ ରଞ୍ଜନ ପଧାନ ସମ୍ପାଦକ ଭାବେ ଓ ସୁକାନ୍ତି ରଣା ପ୍ରଧାନ ଆଚାର୍ଯ୍ୟା ଭାବେ ମଞ୍ଚାସୀନ ଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଦେଶଭକ୍ତିମୂଳକ ଗୀତ, ନୃତ୍ୟ ଓ ନାଟକ ‘ମହିଷା ମର୍ଦିନୀ’ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଏହି ଅବସରରେ ଗୁରୁଜୀ ଗୁରୁମାଙ୍କ ସହଯୋଗ ଓ ପରିଶ୍ରମକୁ ଅତିଥିମାନେ ପ୍ରଶଂସା କରିଥିଲେ । ବିଧାୟକ ଶ୍ରୀ ଗଡ଼ତିୟା ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ । ଗଜାନନ ସାହୁ ଧନ୍ୟବାଦ ଅର୍ପଣ କରିବା ସହିତ ସମସ୍ତ ଅତିଥି, ଗୁରୁଜୀ ଗୁରୁମା, ଅଭିଭାବକ ଓ ସହଯୋଗୀଙ୍କୁ କୃତଜ୍ଞତା ଜଣାଇ କାର୍ଯ୍ୟକ୍ରମର ଶେଷ ଘୋଷଣା କରିଥିଲେ ।


