

ମାନବସେବାରେ ଯୁବମାନଙ୍କ ଉଲ୍ଲେଖନୀୟ ସହଭାଗିତା
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧୀନ ତାଲପଦର ସାଧାରଣ ସୁବିଧା କେନ୍ଦ୍ର (ଟେରାକୋଟା ହସ୍ତଶିଳ୍ପୀ) ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ସ୍ଥାନୀୟ ଯୁବଗୋଷ୍ଠୀଙ୍କ ସମେତ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ଯୁଗଳ ପ୍ରୟାସରେ ଆୟୋଜିତ ଏହି ଶିବିର ଅଞ୍ଚଳରେ ମାନବସେବାର ଏକ ଅଲଗା ଉଦାହରଣ ସୃଷ୍ଟି କରିଛି । ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟା ଦୀପ ପ୍ରଜ୍ୱଳନ କରି ଶିବିରର ଶୁଭ ଉଦଘାଟନ କରିଥିଲେ । ରକ୍ତଦାନ ହେଉଛି ମାନବ ସେବାର ସର୍ବୋତ୍ତମ ଦାନ । ଏହା ମାଧ୍ୟମରେ ଏକ ମଣିଷର ଜୀବନ ରକ୍ଷା ପାଇପାରେ ବୋଲି ଉଦବୋଧନ ଦେବା ସହିତ ଏପରି ସୃଜନଶୀଳ ଏବଂ ସେବାମୂଳକ କାର୍ଯ୍ୟରେ ସଦା ଆଗରେ ଆସିବା ପାଇଁ ଯୁବବର୍ଗଙ୍କୁ ସେ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ସାମ୍ମାନୀତ ଅତୀଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ ଗଡ଼ତିଆ, ସମାଜସେବୀ ଯୋଗୀନ୍ଦ୍ର ପଧାନ, ମହେଶ ଦେବତା ଆଦି ଉପସ୍ଥିତ ରହି ରକ୍ତଦାତାଙ୍କୁୁ ଉତ୍ସାହିତ କରିଥିଲେ ଏବଂ ଏହି ପବିତ୍ର କାର୍ଯ୍ୟକୁ ଆଉ ଅଧିକ ମାତ୍ରାରେ ଜାରି ରଖିବା ନିମିତ୍ତ ପକାଶ କରିଥିଲେ । ଏହି ଶିବିରରେ ବୁର୍ଲା ରକ୍ତଭଣ୍ଡାରର ଚିକିତ୍ସାକର୍ମୀମାନେ ଆସି ଆବଶ୍ୟକ ଯନ୍ତ୍ରପାତି ସହ ରକ୍ତ ସଂଗ୍ରହ କାର୍ଯ୍ୟକୁ ସଫଳତାର ସହ ନିଷ୍ପାଦନ କରିଥିଲେ । ସେମାନଙ୍କ ଅନୁସାରେ, ଶିବିରରେ ଯୁବ ସେବକମାନଙ୍କ ଉତ୍ସାହ ଦେଖିବା ଯୋଗ୍ୟ ଥିଲା ଏବଂ ସୁସ୍ଥ ଭାବରେ ଉଲ୍ଲେଖନୀୟ ପରିମାଣର ରକ୍ତ ସଂଗୃହୀତ ହୋଇଛି । ଏପରି ଶିବିର କେବଳ ମାନବସେବାର ପଥକୁ ପ୍ରସ୍ତୁତ କରେ ନାହିଁ, ବରଂ ସମାଜରେ ମାନବିକତାର ମୂଲ୍ୟକୁ ବଢ଼େଇ ଦିଏ ବୋଲି ରକ୍ତଦାତାମାନେ ମତ ପ୍ରକାଶ କରିଥିଲେ । ରକ୍ତ ସଂକଟର ସମୟରେ ଏହା ଅନେକ ଜୀବନକୁ ବଞ୍ଚାଇ ପାରେ । ଶିବିରକୁ ସଫଳ କରିବା ପାଇଁ ଭାଜପା କର୍ମୀ ସଞ୍ଜୀବ ପଧାନ, ସୁରେଶ ପଧାନ, ହୃଦମଣି ସାହୁ, ଚନ୍ଦ୍ରଭାନୁ ରଣା, ସମେତ ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ । ଶିବିରରେ ୩୦ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ଯୁବମୋର୍ଚ୍ଚା କର୍ମୀମାନେ ନିଜେ ମଧ୍ୟ ରକ୍ତଦାନ କରି ଅନ୍ୟମାନଙ୍କୁ ପ୍ରେରଣା ଦେଇଥିଲେ । ଆଗାମୀ ଦିନ ମାନଙ୍କରେ ମଧ୍ୟ ବିଜେପୁର ବ୍ଲକର ବିଭିନ୍ନ ସ୍ଥାନରେ ଏପରି ସେବାମୂଳକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଂଗଠନ ତରଫରୁ ସୂଚନା ଦିଆଯାଇଛି ।





