ସୁମଣିଷ ଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ସୁମଣିଷ ଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ବିଜେପୁର : ମାର୍ଗଦର୍ଶନ କରି ଉଚ୍ଚ ଶିକ୍ଷିତ ତଥା ସର୍ବୋଚ୍ଚ ପଦ ପଦବୀରେ ଅବସ୍ଥାପିତ କରାଇବା ବଡ କଥା ନୁହେଁ । ବରଂ ସାମ୍ପ୍ରତିକ ପରିସ୍ଥିତିରେ ସାମାଜିକ ପରିବର୍ତ୍ତନ ପାଇଁ ସୁମଣିଷର ଆବଶ୍ୟକତା ରହିଛି । ଏଣୁ ସୁମଣିଷ ଗଠନରେ ଗୁରୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକସ୍ତରୀୟ ଗୁରୁଦିବସ ପାଳନ ସମାରୋହରେ ଏହି ମତପ୍ରକାଶ ପାଇଛି ।

ସ୍ଥାନୀୟ ଶିକ୍ଷକ ଭବନରେ ଆୟୋଜିତ ଏହି ସମାରୋହକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସଭାପତି ସନ୍ତୋଷ ବାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିନିକାର ପ୍ରାକ୍ତନ ଗୋଷ୍ଠୀ ଶିକ୍ଷାଧିକାରୀ ଘନଶ୍ୟାମ ସାହୁ ସମ୍ମାନୀୟ ଅତିଥି, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରାକ୍ତନ ଶିକ୍ଷକ ପ୍ରଶିକ୍ଷକ ରମେଶ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୁରୁଙ୍କ ମହନୀୟତା ସଂପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ସୌଦାମିନୀ ମାଝୀ, ଜୟନ୍ତୀ ସାହୁ, ହରିନାରାୟଣ ମେହେର, ମୋହନ ସାହୁ, ଅମୂଲ୍ୟ ପଧାନ, ଜଗବନ୍ଧୁ ମେହେର, ଭାସ୍କର ସାହୁ, ପୁରନ୍ଦର ମହାନନ୍ଦ ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାନପତ୍ର, ଉପଢୌକନ ଓ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶିକ୍ଷକ ଅକ୍ଷୟ ସାହୁ ଗୁରୁ ବନ୍ଦନା ପରିବେଷଣ କରିଥିବା ବେଳେ ସଂପାଦକ ସୌମ୍ୟରଞ୍ଜନ ପଧାନ ବାର୍ଷିକ ବିବରଣୀ, ଶଶିଭୂଷଣ ସାହୁ ଉଦ୍ଦେଶ୍ୟ ଜ୍ଞାପନ, ବିଜୟ ରଞ୍ଜନ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ପଦ୍ମନାଭ ଦାଶ ସଙ୍ଗୀତରେ ତଥା ଶିକ୍ଷକ ରାମପ୍ରସାଦ ବାଗ କବିତା ମାଧ୍ୟମରେ ଗୁରୁଙ୍କୁ ଭକ୍ତିପୂତ ଅର୍ଘ୍ୟ ଜଣାଇଥିଲେ । ଶିକ୍ଷକ ଅମୀୟ ପ୍ରସାଦ ଭୋଇ ସଭାକୁ ସଂଯୋଜନା କରିଥିବା ବେଳେ ଶେଷରେ ଶିକ୍ଷକ ରାଜେଶ୍ବର ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top