ଶିକ୍ଷାର୍ଥିମାନଙ୍କୁ ଉପହାର ମାଧ୍ୟମରେ ଉତ୍ସାହିତ କରି ଚାଲିଛନ୍ତି ଶିକ୍ଷାପ୍ରେମୀ
ବିଜେପୁର/ବରଗଡ : ସାମ୍ପ୍ରତିକ ସମାଜରେ ଶିକ୍ଷାର ଆବଶ୍ୟକତା ଓ ମାନ ବୃଦ୍ଧି ହେବାରେ ଲାଗିଥିବା ବେଳେ ଅନେକ ଶୁଭଚିନ୍ତକ ବିଭିନ୍ନ ପ୍ରକାର ସହଯୋଗ ମାଧ୍ୟମରେ ଶିକ୍ଷାର୍ଥିମାନଙ୍କୁ ଉତ୍ସାହିତ କରୁଥିବାର ଦେଖିବାକୁ ମିଳେ । ସେହିପରି ଏକ ଶିକ୍ଷାପ୍ରେମୀ ଦମ୍ପତ୍ତି (ଅବସରପ୍ରାପ୍ତ ବିନିକା ବିଇଓ ଘନଶ୍ୟାମ ସାହୁ ଏବଂ ତାଙ୍କ ଧର୍ମପତ୍ନୀ କାନ୍ତି ସାହୁ) ବିଭିନ୍ନ ସ୍କୁଲ ତଥା ସ୍କୁଲମାନଙ୍କର ସଭା ସମିତିରେ ଯୋଗଦେଇ ମେଧାବୀ ଛାତ୍ର/ଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବଇଚ୍ଛାରେ ଅର୍ଥ ରାଶି ପ୍ରଦାନ କରୁଥିବାର ଦେଖିବାକୁ ମିଳୁଛି । ସେହି ଦମ୍ପତ୍ତି ବରଗଡ଼ ଜିଲ୍ଲା ବିଜେପୁର ଶିଶୁ ବିଦ୍ୟାମନ୍ଦିରେ ପହଞ୍ଚି, ଏଚ୍.ଏସ୍.ସି ପରୀକ୍ଷାରେ ବିଦ୍ୟାମନ୍ଦିରର ଟପ୍ପର୍ ଛାତ୍ର/ଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଧାନ ଆଚାର୍ଯ୍ୟ ଓ ପରିଚାଳନା କମିଟୀ ସଭାପତି ଗଙ୍ଗାଧର ପଧାନଙ୍କ ହସ୍ତରେ ପଚାଶ ହଜାର ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ଉକ୍ତ ଟଙ୍କାର ସୁଧ, ମାନପତ୍ର ଓ ଚ୍ରଫି ପୁରଷ୍କାର ଭାବେ ଦେଇ ସେହି ବର୍ଷର ମେଧାବୀ ଛାତ୍ର/ଛାତ୍ରୀଙ୍କୁ ସମ୍ମାନୀତ କରାଯିବ ବୋଲି ସଭାରେ ଘୋଷିତ କରାଯାଇଛି । ଶିକ୍ଷା ପ୍ରତି ସର୍ବଦା ମୋର ଆନ୍ତରିକତା ରହିଛି ବୋଲି ଜାରିଂ ଗ୍ରାମର ସ୍ବର୍ଗତ ଶ୍ରୀହରି ସାହୁ ଓ ରାଧା ସାହୁଙ୍କ ସୁପୁତ୍ର ଶିକ୍ଷାପ୍ରେମୀ ବିଇଓ ଘନଶ୍ୟାମ ସାହୁ ସଭାରେ ପ୍ରକାଶ କରିଥିଲେ । ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ଯୋଗଦାନ କରୁଥିବା ଓ ଶିକ୍ଷାର୍ଥିମାନଙ୍କୁ ଏପରି ଉତ୍ସାହିତ କରୁଥିବାରୁ ପରିଚାଳନା କମିଟୀ ସଭାପତି ଶ୍ରୀ ପଧାନ କୃତଜ୍ଞତା ଜ୍ଞାପନ କରିଥିଲେ । ସଭାରେ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଘନଶ୍ୟାମ ମେହେରଙ୍କ ସମେତ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟାମାନେ ଉପସ୍ଥିତ ଥିଲେ ।





