

ସରସ୍ୱତୀ ଶିଶୁ ମନ୍ଦିରର ୩୦ତମ ବାର୍ଷିକୋତ୍ସବ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ଶିକ୍ଷା, ସଂସ୍କାର ଓ ସଂସ୍କୃତିର ସମନ୍ୱୟ ସହିତ ଅତ୍ୟନ୍ତ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ତିନି ଦଶକ ଧରି ଅଞ୍ଚଳରେ ମୂଲ୍ୟବୋଧ ଆଧାରିତ ଶିକ୍ଷା ପ୍ରସାର କରୁଥିବା ଏହି ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବରେ ବହୁ ସଂଖ୍ୟାରେ ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶୁଭେଚ୍ଛୁକମାନେ ଉପସ୍ଥିତ ଥିଲେ।ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜମିଦାର ତଥା ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡ଼ତିଆ ଯୋଗଦେଇ ତାଙ୍କ ଭାଷଣରେ କହିଥିଲେ ଯେ ସରସ୍ୱତୀ ଶିଶୁମନ୍ଦିର ପରି ଶିକ୍ଷାନୁଷ୍ଠାନଗୁଡ଼ିକ ଦେଶ ଗଢ଼ାରେ ମୁଖ୍ୟ ଭୂମିକା ନିଭାଉଛନ୍ତି।


ନୀତି, ଶିଷ୍ଟାଚାର, ଦେଶଭକ୍ତି ଓ ସଂସ୍କାର ଭିତ୍ତିକ ଶିକ୍ଷା ମାଧ୍ୟମରେ ସୁସଚେତନ ଓ ଦାୟିତ୍ୱବାନ୍ ନାଗରିକ ଗଢ଼ିଉଠନ୍ତି ବୋଲି ସେ ଉଲ୍ଲେଖ କରିଥିଲେ। ଛାତ୍ରଛାତ୍ରୀମାନେ ଶିକ୍ଷା ସହ ସମାଜ ପ୍ରତି ଦାୟିତ୍ୱବୋଧ ଧାରଣ କରିବା ଆବଶ୍ୟକ ବୋଲି ସେ କହିଥିଲେ। ସେ ତାଙ୍କ ଦୀର୍ଘ ୧୨ ବର୍ଷର ସଭାପତି ଭାବରେ ଥିବା ସମୟକୁ ସ୍ମରଣ କରି ଶିଶୁମନ୍ଦିର ସହ ନିଜ ସମ୍ପର୍କ ଉପରେ ଆଲୋକପାତ କରିଥିଲେ । ସଭାପତି ତଥା ଶିକ୍ଷାବିତ୍ ଶ୍ରୀଯୁକ୍ତ ଗଙ୍ଗାଧର ପଧାନ ତାଙ୍କ ଅଧ୍ୟକ୍ଷୀୟ ଭାଷଣରେ ବିଦ୍ୟାଳୟର ସ୍ଥାପନ ଠାରୁ ଆଜି ପର୍ଯ୍ୟନ୍ତର ଶିକ୍ଷା ଯାତ୍ରା, ସଫଳତା ଓ ସମାଜ ପ୍ରତି ଅବଦାନ ବିଷୟରେ ଆଲୋଚନା କରିଥିଲେ । ସମ୍ପାଦକ ଡ଼. ସୁଦାମ ପଧାନ ତିନି ଦଶକ ଧରି ସରସ୍ୱତୀ ଶିଶୁମନ୍ଦିର ଯେପରି ଅଞ୍ଚଳରେ ଶିକ୍ଷାର ଆଲୋକ ପ୍ରସାର କରିଆସୁଛି, ସେ ସମ୍ପର୍କରେ ତଥ୍ୟ ରଖିଥିଲେ ।


ପ୍ରଧାନ ଆଚାର୍ଯ୍ୟ ଗୋକୁଳାନନ୍ଦ ଷଡ଼ଙ୍ଗୀ ଶିଶୁମନ୍ଦିରର ଶିକ୍ଷା ପଦ୍ଧତି, ଅନୁଶାସନ ଓ ଛାତ୍ରଛାତ୍ରୀଙ୍କ ସାର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ ଦେଇ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ବକ୍ତା ଡ଼. ସତ୍ୟସାଇ ନାୟକ ଶିକ୍ଷା ସହ ସଂସ୍କାର ଓ ଚରିତ୍ର ଗଠନର ମହତ୍ତ୍ୱ ବିଷୟରେ ଭାଷଣ ଦେଇଥିଲେ । ଉତ୍ସବ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦେଶଭକ୍ତିମୂଳକ ଗୀତ, ନୃତ୍ୟ ଓ ନାଟକ ପ୍ରଦର୍ଶିତ ହୋଇ ଉପସ୍ଥିତ ଦର୍ଶକମାନଙ୍କୁ ମୁଗ୍ଧ କରିଥିଲା । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ଶେଷରେ ପରଚାଳନା କମିଟିର ସଦସ୍ୟା ଶ୍ରୀମତୀ ସୁଷମା ଖମାରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।





