

ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ
ବରଗଡ : ସମାଜର ସର୍ବାଙ୍ଗୀନ ହିତ ସାମ୍ବାଦିକର ଏକମାତ୍ର ଲକ୍ଷ୍ୟ ହେବା ଉଚିତ । ଏହା ସାଙ୍ଗକୁ ସମ୍ବାଦ ପରିବେଷଣ ସମୟରେ ସାମ୍ବାଦିକକୁ ନିଜର ଉଭୟ ବେଗ ଓ ଦିଗ ଉପରେ ନିୟନ୍ତ୍ରଣ ରଖିବା ଦରକାର ବୋଲି ସାପ୍ତାହିକ ଖବର କାଗଜ ‘ଗଣ ଇସ୍ତାହାର’ର ୪୫ତମ ଜୟନ୍ତୀ ସମାରୋହରେ ଅତିଥି ବକ୍ତାମାନେ କହିଥିଲେ । ଗଣ ଇସ୍ତାହାର ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଦୀପ ହୋତାଙ୍କ ସଭାପତିତ୍ୱ ଓ ସମ୍ପାଦକ ପ୍ରସନ୍ନ କୁମାର ମିଶ୍ରଙ୍କ ସଂଯୋଜନାରେ ବରଗଡ଼ ମହିଳା ସମିତି ସଭା ଗୃହରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟବକ୍ତା ଭାବେ ବରଗଡ଼ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ରବୀନ୍ଦ୍ର ଗଡତିଆ ଏବଂ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶଙ୍କର ବଲ୍ଲଭ ମିଶ୍ର, ସାହିତ୍ୟିକ, କବି ମନୋରଞ୍ଜନ ସାହୁ, ସମାଜସେବୀ ଚନ୍ଦ୍ରଶେଖର ବାଗ, ବରିଷ୍ଠ ଆଇନଜୀବୀ ଶିରିଶ ବଲ୍ଲଭ ମିଶ୍ର ଓ ଶ୍ୟାମ ସୁନ୍ଦର ଅଗ୍ରଓ୍ବାଲ ପ୍ରମୁଖ ଉପସ୍ଥିତ ଥିଲେ । ତୋଷାମଦ ଓ ସ୍ତାବକତା ସାମ୍ବାଦିକର ଧର୍ମ ନୁହେଁ । ନିଜର ପସନ୍ଦ ନାପସନ୍ଦ, ଆଗ୍ରହ ଦୁରାଗ୍ରହରୁ ଉପରକୁ ଉଠି ଏକ ସୁସଂହତ ଶୃଙ୍ଖଳିତ ସମାଜ ପାଇଁ ସମ୍ବାଦପତ୍ର ସହ ସଂପୃକ୍ତ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହେବ । ସମାଜର ହିତ ହିଁ ଏକମାତ୍ର ଲକ୍ଷ୍ୟ । ଆତ୍ମସଂଯମ, ନୈତିକ ମୂଲ୍ୟବୋଧ ଓ ଉଦାରତା ଜଣେ ସୁସାମ୍ବାଦିକର ଆକାଂକ୍ଷିତ ଗୁଣ ବୋଲି ମୁଖ୍ୟବକ୍ତା ଡ.ଗଡତିଆ ଉଦବୋଧନ ଦେଇଥିବା ବେଳେ ଗଣ ଇସ୍ତାହାରର ସମ୍ପାଦକ ପ୍ରସନ୍ନ ମିଶ୍ର ସ୍ବାଗତ ବକ୍ତବ୍ୟ ସହିତ ପତ୍ରିକାର ଦୀର୍ଘ ୪୪ ବର୍ଷର ସଂଘର୍ଷମୟ ଯାତ୍ରା କାଳରେ ନିଜର ଲକ୍ଷ୍ୟକୁ ସ୍ଥିର ଓ ମୂଲ୍ୟବୋଧକୁ ବଜାୟ ରଖି ପାରିଥିବା ତଥା ଜନସାଧାରଣଙ୍କ ଆସ୍ଥା, ପାଠକ ପାଠିକାମାନଙ୍କ ସ୍ନେହ ସଦିଚ୍ଛା ହିଁ ଆମର ସଂପତ୍ତି ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ସ୍ମୃତିରେ ଉତ୍ସର୍ଗିତ ଗଣ ଇସ୍ତାହାରର ୪୫ତମ ଜୟନ୍ତୀ ବିଶେଷାଙ୍କକୁ ସମାଜସେବୀ କନକ ପ୍ରଧାନ ଉନ୍ମୋଚନ କରିଥିଲେ । ସାମ୍ବାଦିକତା କ୍ଷେତ୍ରରେ ଉତ୍ସର୍ଗୀତ ଯୋଗଦାନ ପାଇଁ ସାମ୍ବାଦିକ ରତ୍ନମଣି ଶତପଥୀ, ନିରୋଜ ପାଣୀ, ଗୋରେଖ ନାଥ ବରିହା, ବଳରାମ ପ୍ରଧାନ, ଅଭିମନ୍ୟୁ ପଧାନ, ସୁରେନ୍ଦ୍ର କଠାର, ମନୋହର ଦାଶ, ଚନ୍ଦ୍ରମଣି ବେହେରା, ନବ ଦାଶ, ରମେଶ ପଧାନ ଏବଂ ଲେଖକ ଉତ୍ପନ୍ନ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ସସ୍ମିତା ପଟ୍ଟନାୟକ, ପ୍ରଣତି ପଣ୍ଡା, ସୌଭାଗ୍ୟ ଲକ୍ଷ୍ମୀ ମିଶ୍ର, ସ୍ବାଧିନୀ ଦାଶ, ସୁଷମା ପଣ୍ଡାଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷିତ ହୋଇଥିଲା ।



