

ରଶିଟଣା ପ୍ରତିଯୋଗିତା ବରମୁଣ୍ଡାରେ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମରେ ନୂଆଁଖାଇ ଅବସରରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସେଥି ମଧ୍ୟରୁ ରଶିଟଣା ପ୍ରତିଯୋଗିତା ଏକ ପ୍ରମୁଖ ଆକର୍ଷଣ ଥିଲା । ଏଥିରେ ସର୍ବମୋଟ ଆଠଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ ତାଳପଦର ଓ ବରମୁଣ୍ଡା ଦଳ ଚୂଡାନ୍ତ ପ୍ରତିଯୋଗିତାରେ ପ୍ରବେଶ କରିଥିଲେ l ତାଳପଦର ଦଳ ବରମୁଣ୍ଡା ଦଳକୁ ପରାଜିତ କରି ପୁଣି ଥରେ ଚାମ୍ପିଅନ ହୋବାର ସୌଭାଗ୍ୟ ହାତେଇଥିଲେ । ଏହି ଅବସରରେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡ଼ତିୟା, ବିଜେପୁର ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା ଉପସ୍ଥିତ ରହି କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ବିଭୁତିଭୂଷଣ ସାହୁ ଖେଳ ପରିଚାଳନା କରିଥିଲେ ।


ରଶିଟଣା ଖେଳର ଇତିହାସ ବହୁ ପୁରୁଣ ହୋଇଥିବା ବେଳେ ଏହାର ଉଦ୍ଭବ ପ୍ରାଚୀନ ଇଜିପ୍ଟ, ଗ୍ରୀସ୍, ଚୀନ୍ ଓ ଭାରତରୁ ହୋଇଥିଲା । ପ୍ରାଚୀନ ସମୟରେ ଏହାକୁ ‘ହୁକ୍ ପୁଲିଂ’ ବୋଲି କୁହାଯାଉଥିଲା, ଯାହା ସୈନିକଙ୍କୁ ପ୍ରଶିକ୍ଷଣ ଦେବା ଓ ଶକ୍ତି ବଢ଼ାଇବା ପାଇଁ ବ୍ୟବହୃତ ହେଉଥିଲା । ଦ୍ୱାଦଶ ଶତାବ୍ଦୀରେ ଭାରତରେ ମଧ୍ୟ ଏହି କ୍ରୀଡ଼ା ଖୁବ ପ୍ରଚଳିତ ଥିଲା ବୋଲି ପୁରାତତ୍ତ୍ବ ତଥ୍ୟ ସୂଚୀତ କରେ ଏବଂ ଏଭଳି ପ୍ରମାଣ କୋଣାର୍କ ମନ୍ଦିରରର କାରୁକାର୍ଯ୍ୟରେ ଦେଖିବାକୁ ମିଳେ । ଆଗ କାଳରେ ଗ୍ରାମ୍ୟ ମେଳା ଆୟୋଜନରେ ଏହି ଖେଳ ଗୋଟେ ସମୟରେ ସମସ୍ତଙ୍କର ଆକର୍ଷଣ ଥିଲା । କିନ୍ତୁ କାଳକ୍ରମରେ ଏହା ଧୀରେ ଧୀରେ ଲୋପ ହେବାରେ ଲାଗିଛି । ଏହି ପାରମ୍ପରିକ ରଶିଟଣା କ୍ରୀଡାକୁ ସରକାରୀ ପ୍ରୋତ୍ସାହନ ଦିଆଗଲେ ନଶ୍ଚିତ ଭାବେ ଏହାର ଉନ୍ନତି ହେବ ବୋଲି କ୍ରୀଡାପ୍ରେମୀମାନେ ମତ ରଖନ୍ତି ।





