

ରାଜ୍ୟ ସ୍ତରୀୟ ୨ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଏମ୍.ଗଣ୍ଡପାଲି ଗୁରୁବାରୀ ମିର୍ଦ୍ଧା ମିନି ଷ୍ଟାଡିୟମରେ ଅମରଦୀପ ଯୁବକ ସଂଘ ଆନୁକୂଲ୍ୟରେ ତୃତୀୟ ରାଜ୍ୟ ସ୍ତରୀୟ ଦୁଇ ଦିବସୀୟ (ଅକ୍ଟୋବର ୨୫ ଓ ୨୬) ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଖିପାଲି ସରପଞ୍ଚ ସବିତା ସାହୁ ଫିତାକାଟି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହିତ ପ୍ରାରମ୍ଭିକ ଖେଳର ଦୁଇ ଦଳଙ୍କ ସହିତ ଭାବ ବିନିମୟ ଆଳରେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ ।


ଏହା ପରେ ଖେଳର ଶୁଭାରମ୍ଭ ହୋଇ ଆଗେଇ ଚାଲିଥିବା ବେଳେ ଓ୍ବିନର୍ ବ୍ରାଇଟ୍ ସ୍କୁଲର ଚେୟାରମେନ ଶ୍ରୀକାନ୍ତ ମିଶ୍ର, ସୋହେଲାରୁ ଏମ୍.ଡି ଇମ୍ରାନ୍ ଭୋପାଲା, ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ କୁମାର ଗଡତିଆ ପ୍ରମୁଖ ସମ୍ମାନୀତ ଅତିଥିଗଣ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିବା ସହିତ କାର୍ଯ୍ୟକ୍ରମର ଶୋଭା ବଢାଇଥିଲେ ।


ବରଗଡ- କୁଚିଣ୍ଡା, ସୁନ୍ଦରଗଡ- ଝାରସୁଗୁଡା, ବୀରମହାରାଜପୁର- ରେଙ୍ଗାଲି, ରାଉରକେଲା- ଅମୃତଧାରା ମଧ୍ୟରେ ଖେଳ ହୋଇଥିବା ବେଳେ ପ୍ରଥମ ଦିନର ବିଜେତା ଦଳ ଭାବେ ଦ୍ବିତୀୟ ଦିନ କୁଚିଣ୍ଡା-ସୁନ୍ଦରଗଡ, ରେଙ୍ଗାଲି-ଅମୃତଧାରା ମଧ୍ୟରେ ସେମି ଫାଇନାଲ ଖେଳ ହେବ । ଉକ୍ତ ଦୁଇ ଦିବସୀୟ ଟୁର୍ଣ୍ଣାମେଣ୍ଟରେ ରେଫରି ଭାବେ ରାଜ ମଣ୍ଡଳ, ସୁଧାଂଶୁ ସେଠ, ଶ୍ରୀନିବାସ ରାଓ, ବିପୁଳ ବିଦ୍ୟାଧନ, ସନ୍ତୋଷ ପଧାନ, ସୁନୀଳ ବାଗ, ଗୌରାଙ୍ଗ ପାଣ୍ଡେ, ରଞ୍ଜିତ ଛତ୍ରୀଆ ଦାୟିତ୍ବ ନେଇଥିବା ବେଳେ ଋଷୁଭ ବିଶି, ଟଙ୍କଧର ବାଗ ଓ ଭାଗିରଥୀ ପଟେଲ ଉଦଘୋଷକ ଭାବେ ଦାୟିତ୍ବ ତୁଳାଇଥିଲେ । ଆଜିର କାର୍ଯ୍ୟକ୍ରମରେ ଏମ୍.ଗଣ୍ଡପାଲି ଅମରଦୀପ ଯୁବକ ସଂଘ ଓ ଗ୍ରମବାସୀ ସହଯୋଗ କରିଥିଲେ ।





