ପୂର୍ତ୍ତ ବିଭାଗ ରାସ୍ତାରୁ ମାଝିପଲି (କଲେଜ ରାସ୍ତା) ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ

୨.୪୪ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ସ୍ଥାନୀୟ ବିଧାୟକ

ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପଦକ୍ଷେପ ବିଜେପୁରରେ ଦେଖିବାକୁ ମିଳିଛି । ବିଜେପୁରର ଆର.ଡ଼ି ବିଭାଗ ଅଧୀନସ୍ଥ ମୁଖ୍ୟ ରାସ୍ତାରୁ ମାଝିପାଲି (କଲେଜ ରାସ୍ତା) ପର୍ଯ୍ୟନ୍ତ ରାସ୍ତା ଉନ୍ନତିକରଣ ପାଇଁ ୨ କୋଟି ୪୪ ଲକ୍ଷ ୫୨ ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ଏକ ବିଶାଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ସ୍ଥାନୀୟ ବିଧାୟକ ଶ୍ରୀ ସନତ କୁମାର ଗଡତୀୟା ତାଙ୍କ କରକମଳରେ ଏହି ପ୍ରକଳ୍ପର ଶୁଭ ଶିଳାନ୍ୟାସ କରିଥିଲେ । ରାସ୍ତାଟି ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ପାଇଁ ଦୁର୍ଭାଗ୍ୟର କାରଣ ହୋଇ ରହିଥିବା ବେଳେ ଅତ୍ୟଧିକ ଆବଡା ଖାବଡା ଓ ଜର୍ଜରିତ ଅବସ୍ଥାରେ ଥିବାରୁ ଯାତାୟାତରେ ଅନେକ ସମସ୍ୟା ସୃଷ୍ଟି ହେଉଥିଲା । ବିଶେଷ କରି ବର୍ଷା ଋତୁରେ ରାସ୍ତାରେ ପାଣି ଜମି ଯାଉଥିବାରୁ ଗାଡି ଚଳାଚଳ ସହ ପଦଯାତ୍ରୀ ମାନଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି ହେଉଥିଲା । ପ୍ରତିଦିନ ସ୍ଥାନୀୟ କଲେଜକୁ ଉକ୍ତ ରାସ୍ତା ଦେଇ ଶତାଧିକ ଯାତାୟାତ ଛାତ୍ରଛାତ୍ରୀ ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ଦେଖାଯାଉଥିଲା । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜନସାଧାରଣ ଦୀର୍ଘଦିନ ଧରି ରାସ୍ତାର ଉନ୍ନତି ପାଇଁ ଦାବୀ କରି ଆସୁଥିବା ବେଳେ ଦାବୀ ଓ ଅଞ୍ଚଳର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡତିୟା ପୂର୍ତ୍ତ ବିଭାଗ ମାଧ୍ୟମରେ ଏହି ରାସ୍ତା ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରାଇବାରେ ସଫଳ ହୋଇଥିଲେ । ଫଳ ସ୍ୱରୂପ ୨.୪୪ କୋଟି ଟଙ୍କା ଖର୍ଚ୍ଚରେ ରାସ୍ତାର ପୁନଃର୍ନିର୍ମାଣ ଓ ଉନ୍ନତିକରଣ କାମ ଶୀଘ୍ର ଆରମ୍ଭ ହେବ । ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବରୁ ପାରମ୍ପରିକ ଧାର୍ମିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଥିଲା । ପୂଜକ ଭାବେ ଚନ୍ଦନ ଶର୍ମାଙ୍କ ପୂଜା କାର୍ଯ୍ୟ ସମ୍ପନ୍ନ ପରେ ଏକ ଛୋଟିଆ ସଭାର ଆୟୋଜନ କରାଯାଇଥିଲା । ସଭାରେ ପୂର୍ତ୍ତ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ମଧୁସୂଦନ ଚୌଧୁରୀ, ବିଜେପି ଏନ.ଏ.ସି ସଭାପତି ମହେଶ ଦେବତା, ନରସିଂହ ପୂଜାରୀ, ସମାଜସେବୀ ଜନାର୍ଦ୍ଦନ ପାଣିଗ୍ରାହୀ, ପୂର୍ବତନ ପଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ବିନୋଦ ବିଶ୍ୱାଳ, ବାହାଦୁର ମେହେର, ବଣିକ ସଂଘ ବିଜେପୁର ସଭାପତି ଚିନ୍ମୟ ସାହୁ, ବିଜେପି ଯୁବ ମୋର୍ଚ୍ଚା ସଭାପତି ଜିତେନ୍ଦ୍ରିୟ ଅଦାବର, ଓ.ବି.ସି ସଭାପତି ନୀଳମଣି ମେହେର, ଜାରିଂ ଜୋନ ସଭାପତି ଆନନ୍ଦ ବାରିକ, ଇରେନ ସାହୁ, ବିକାଶ ପଧାନ, ଭୀମ ମାଝୀ, କିଶୋର ଚନ୍ଦ୍ର ଷଡ଼ଙ୍ଗୀ, ଜନାର୍ଦ୍ଦନ ପାତ୍ରଙ୍କ ସମେତ ଅଞ୍ଚଳର ବହୁ ସଂଖ୍ୟକ ଗଣମାଣ୍ୟ ବ୍ୟକ୍ତି ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ରାସ୍ତା ଉନ୍ନତିର ଖବର ପାଇଁ ଅଞ୍ଚଳବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖାଯାଇଥିଲା । ସ୍ଥାନୀୟ ଲୋକେ ବିଧାୟକଙ୍କ ପ୍ରଚେଷ୍ଟାକୁ ସ୍ୱାଗତ କରି ଧନ୍ୟବାଦ ଜଣାଇଥିଲେ । “ବିଧାୟକ ହେବ ତ ଏମିତି” ବୋଲି ଉପସ୍ଥିତ ଜନତାଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ଶେଷରେ ସମାଜସେବୀ ଜନାର୍ଦ୍ଦନ ପାଣିଗ୍ରାହୀ ଧନ୍ୟବାଦ ଜଣାଇ ସଭା ସମାପ୍ତି ଘୋଷଣା କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top