ପିପିଲିପାଲିରେ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟରର ପିପିଲିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନବମ ମାସିକ ଜାରିଂ କ୍ଲଷ୍ଟର ସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସି.ଆର୍.ସି.ସି ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ସଂକୀର୍ତ୍ତନ ବିଶି, ସ୍ଥାନୀୟ ସ୍କୁଲର ଚେୟାରମେନ ଭୁବନ ଦୀପ ଯୋଗଦେଇ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିନି ନାଏକ, ତୁଳସୀ ମେହେର, ପୂଜା ପଟେଲ ପ୍ରମୁଖ ଛାତ୍ରୀଗଣ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ରୋହିତ ସାହୁ ସମସ୍ତଙ୍କୁ ସ୍ବାଗତ ଜଣାଇବା ବେଳେ ସହକାରୀ ଶିକ୍ଷକ ଅଭିଷେକ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ । ପରେ ଫେବୃଆରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର, ପାଠ ଯୋଜନା ନମୁନା, ଟ୍ରାକର ଉପରେ ବିଶଦ ଆଲୋଚନା କରାଯାଇଥିଲା । ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ସାହୁ ତ୍ରିମାତ୍ରିକ ଶିକ୍ଷକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଶୈକ୍ଷିକ କ୍ଷେତ୍ରରେ ପାରଙ୍ଗମ କରିବା ପାଇଁ ପ୍ରତିବନ୍ଧକ ବିଷୟରେ ପଙ୍ଖାନୁପଙ୍ଖ ଆଲୋଚନା କରାଯାଇଥିଲା । ପୁରାତନ ଛାତ୍ରୀ ସୁନୀତା ଗିରି ଓ ପିଙ୍କି ଦୀପ ମନଛୁଆଁ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ସ୍କୁଲ ପରିଚାଳନା କମିଟି ଉପ-ସଭାପତି ଚନ୍ଦ୍ରକାନ୍ତି ଦୀପ, ସଦସ୍ୟ ଗୋବିନ୍ଦ ସାହୁ, ସନ୍ଧ୍ୟା ପଟେଲ, ଓ୍ବାର୍ଡ ସଭ୍ୟ ଗଜରାଜ ପଟେଲ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସେହିପରି ସି.ଆର୍.ସି.ସି ପ୍ରଭାତ ରଞ୍ଜନ ସାହୁଙ୍କ ସଂଯୋଜନାରେ ଟି.ଗଣ୍ଡପାଲି କ୍ଲଷ୍ଟରର ଧୂମାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ବୈଠକରେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଜନକ ସେଠ,ଗଗନ ବେହେରା, ସ୍ଥାନୀୟ ପ୍ରଧାନଶିକ୍ଷକ ମୁକୁନ୍ଦ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ସି.ଆର୍.ସି.ସି ଦୁର୍ବାଦଳ ବଡଗୋଛିଆଙ୍କ ସଂଯୋଜନାରେ ବଡବାଉଁଶେନ କ୍ଲଷ୍ଟରର ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟରେ, ସି.ଆର୍.ସି.ସି ସୀତାରାମ ଦୀପଙ୍କ ସଂଯୋଜନାରେ ବାନ୍ଦୁପାଲି କ୍ଲଷ୍ଟରର ବାନ୍ଦୁପାଲି ପ୍ରାଥମିକ ବିଦ୍ୟାଳୟରେ, ସି.ଆର୍.ସି.ସି ସୁଧାଂଶୁ ଶେଖର ଜାଲଙ୍କ ସଂଯୋଜନାରେ ବିଜେପୁର କ୍ଲଷ୍ଟରର ସଙ୍କର୍ଷଣ ଉ.ପ୍ରା ବିଦ୍ୟାଳୟରେ ନବମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।





