

ପପଙ୍ଗା ପାହାଡରେ ଜନସମାବେଶ
ଭେଡେନ : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଐତିହାସିକ ପପଙ୍ଗା ପାହାଡ଼ରେ ଭେଡେନ ବ୍ଲକ ସ୍ତରୀୟ ଏକ କଂଗ୍ରେସ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏକ ରେଲି କରାଯାଇ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ ମାତା ସୂର୍ଯ୍ୟ କୁମାରୀ ଭୋଇଙ୍କ ବିୟୋଗ ହେତୁ ତାଙ୍କ ଅମର ଆତ୍ମାର ଶାନ୍ତି ନିମିତ୍ତ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ବ୍ଲକ କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ଅନୁଷ୍ଠିତ ସଭାରେ ସମସ୍ତ ୨୧ ଗୋଟି ପଞ୍ଚାୟତର ଅନେକ କର୍ମୀ ସାମିଲ ଥିଲେ । ତୃଣମୂଳ ସ୍ତରରୁ କଂଗ୍ରେସ କେମିତି ସୁଦୃଢ଼ ହୋଇ ପାରିବ ସେ ଉପରେ କର୍ମୀମାନେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ବର୍ତ୍ତମାନ ସରକାର ଚାଷୀଙ୍କୁ ଶୋଷଣ କରୁଛି ବୋଲି ସେ ଉପରେ ଶ୍ରୀଯୁକ୍ତ ପଣ୍ଡା ମତ ରଖିବା ସହିତରେ ଆଗାମୀ ଦିନରେ ଚାଷୀଙ୍କ ହିତଲାଗି ବିରାଟ ଆନ୍ଦୋଳନ କରାଯିବ ବୋଲି ଏହି ଅବସରରେ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ ।ଏହି ସମାବେଶରେ ଭବାନୀ ପାଢ଼ୀ, ଏକାଦସିଆ ହଟେଇ, ଦିଲୀପ ଦାଶ, ଅଲେଖ ବେହେରା, ବଳରାମ ଭୁଏ, ଭାରତ ବାବୁ, ପ୍ରଶାନ୍ତ ପାଣି, ଜାପାନୀ ସାହୁ, ନାଗେଶ ରାଓ ସମେତ ଅନ୍ୟାନ୍ୟ ସଦସ୍ୟ ଓ କର୍ମୀ ଉପସ୍ଥିତ ଥିଲେ ।



