Light rain likely for next two days : ଆସନ୍ତା ଦୁଇ ଦିନ ହାଲୁକା ବର୍ଷା ସମ୍ଭାବନା, ୬ ତାରିଖ ଯାଏ କୋହଲା ପାଗ

ବନେଶ୍ୱର,୦୧/୧୨: ଆସନ୍ତା ଦୁଇ ଦିନ ଧରି ରାଜ୍ୟରେ ହାଲୁକା ବର୍ଷା ହେବ । ବଙ୍ଗୋପସାଗରରୁ ରାଜ୍ୟକୁ ପବନ ବହୁଛି । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ । ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା ଅଛି । ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରିଛନ୍ତି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ୧ ତାରିଖରେ ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ।

୨ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ପରିମାଣ ବର୍ଷା ହୋଇପାରେ । ଆସନ୍ତା ୪ ଦିନ ଯାଏ ରାଜ୍ୟର ରାତି ତାପମାତ୍ରା ଅପରିବର୍ତ୍ତିତ ରହି ପାରେ ବୋଲି ଆକଳନ କରାଯାଇଛି ।

ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁ କହିଛନ୍ତି, ଆସନ୍ତା ୬ ତାରିଖ ଯାଏ ପାଗ କୋହଲା ରହିବା ସହ ଉପକୂଳ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ସକାଳ ଓ ସନ୍ଧ୍ୟା ସମୟରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି । ଦକ୍ଷିଣ ଓଡ଼ିଶାରେ ଝିପିଝିପି ବର୍ଷା ଲାଗି ରହିବ ବୋଲି ସେ କହିଛନ୍ତି ।

ଗତ ୨୪ ଘଣ୍ଟାରେ ଗଞ୍ଜାମର ଚିକିଟିରେ ସର୍ବାଧିକ ୪୬ ମିମି ବର୍ଷା ହୋଇଛି । କେନ୍ଦୁଝର ଚମ୍ପୁଆରେ ୨୦.୮, ଦେବଗଡ଼ ରିଆମାଳରେ ୧୮ ମିମି, କନ୍ଧମାଳ କଳିଙ୍ଗାରେ ୧୮, ମୟୂରଭଞ୍ଜ ଯଶିପୁରରେ ୧୭.୨, ଗଞ୍ଜାମର ଛତ୍ରପୁରରେ ୧୬.୬, କେନ୍ଦୁଝର ଯୋଡ଼ା ଓ ଗଞ୍ଜାମରେ ୧୫.୪, ସମ୍ବଲପୁର ଯୁଯୁମରାରେ ୧୫.୩, ଆଠମଲ୍ଲିକରେ ୧୫.୨, ହିନ୍ଦୋଳ ଓ ଛେଣ୍ଡିପଦାରେ ୧୪.୨ ମିମି ବର୍ଷା ହୋଇଛି।

Leave a Comment

Your email address will not be published. Required fields are marked *

Scroll to Top