

ଲେମଧର ସେବାଶ୍ରମରେ କ୍ଲଷ୍ଟର ସ୍ତରୀୟ ବୈଠକ
ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଜାରିଂ କ୍ଲଷ୍ଟରର ଲେମଧର ସେବାଶ୍ରମ ବିଦ୍ୟାଳୟରେ ଅଷ୍ଟମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ସି.ଆର୍.ସି.ସି ରାଜେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ସ୍ବାଇଁ, ମାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପୁରୀ, ଜାରିଂ ନୋଡାଲର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଶିକ୍ଷକ ବାସୁଦେବ ସାହୁ ଭକ୍ତି ସଂଗୀତ ପରିବେଷଣ କରିବା ପରେ ଜାନୁୟାରୀ ମାସର ଶୈକ୍ଷିକ କ୍ୟାଲେଣ୍ଡର, ପାଠ ପଢା ସଂପର୍କରେ ବିଶଦ ଆଲୋଚନା ହୋଇଥିଲା । ଭାଷା ଓ ଗଣିତ ଶିକ୍ଷଣ ଆନନ୍ଦଦାୟକ ପରିଶେଷରେ ଶିକ୍ଷା ଦେଲେ ଏହା ଦୀର୍ଘ ସ୍ଥାୟୀ ହୋଇ ପାରିବ ବୋଲି ଆଲୋଚନା ହୋଇଥିଲା । ଶିକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।ଦଶଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଏଫ୍.ଏଲ.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ବୈଠକରେ ସାମିଲ୍ ହେଇଥିଲେ । ନମିତା ବେହେରା, ଟିକେଶ୍ବରୀ ସେଠ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସି.ଆର୍.ସି.ସି ଦୁର୍ବାଦଳ ବଡଗୋଛିଆଙ୍କ ତତ୍ତ୍ବାବଧାନରେ ବଡବାଉଁଶେନ କ୍ଲଷ୍ଟରର କୁର୍କୁଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ସି.ଆର୍.ସି.ସି ପ୍ରଭାତ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଟିଗଣ୍ଡପାଲି କ୍ଲଷ୍ଟରର ଗୁଡିମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ସେହିପରି ଅବଶିଷ୍ଟ ନଅଗୋଟି କ୍ଲଷ୍ଟରରେ ଅଷ୍ଟମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।



