କୁଚିଣ୍ଡାରେ ବିଶାଳ ହିନ୍ଦୁ ସମ୍ମିଳନୀ

କୁଚିଣ୍ଡାରେ ବିଶାଳ ହିନ୍ଦୁ ସମ୍ମିଳନୀ

କୁଚିଣ୍ଡା : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ରବିବାର ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସ୍ଥିତ ଶ୍ରୀ ଶ୍ରୀ କୁଣ୍ଡେଶ୍ୱର ମନ୍ଦିର ପରିସରରେ କୁଚିଣ୍ଡା ନଗରର ହିନ୍ଦୁ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ହାଟପଦା ରଜାବନ୍ଧରୁ ଭବ୍ୟ କଳସ ଶୋଭାଯାତ୍ରା ନଗର ପରିକ୍ରମା କରି ଶ୍ରୀ ଶ୍ରୀ କୁଣ୍ଡେଶ୍ୱର ମନ୍ଦିରକୁ ପହଞ୍ଚିଥିଲା । ବହୁ ସଂଖ୍ୟାରେ ସନାତନୀ ହିନ୍ଦୁ ଜନସାଧାରଣଙ୍କ ସମେତ ବଜରଙ୍ଗଦଳ ଝଣ୍ଡା ଧରି, ସଂକୀର୍ତ୍ତନ ଦଳ ଏବଂ ଶତାଧିକ ମହିଳା ପୂର୍ଣ୍ଣକଳସ ଧରି କଳସ ଶୋଭାଯାତ୍ରାରେ ସାମିଲ ଥିଲେ । ପରେ ମନ୍ଦିର ଯଜ୍ଞମଣ୍ଡପ ଠାରେ ହୋମଯଜ୍ଞାଦି ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସମ୍ପାଦକ ଶ୍ରୀଯୁକ୍ତ ପ୍ରଶାନ୍ତ ପଟେଲ ଏବଂ ତାଙ୍କ ସହଧର୍ମିଣୀ କର୍ତ୍ତା ଦାୟୀତ୍ୱ ତଳାଇଥିଲେ । ତାପରେ ଅନୁଷ୍ଠିତ ହିନ୍ଦୁ ସମ୍ମିଳନୀ ସଭାରେ ମୁଖ୍ୟଅତିଥି ଭାବରେ ସମାଜସେବୀ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ଦେଓ ଓ ମୁଖ୍ୟବକ୍ତା ଭାବରେ ବିଶ୍ୱ ହିନ୍ଦୁ ପରିଷଦର ଆଜୀବନ ସଭ୍ୟ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଯୋଗଦେଇ ସାରଗର୍ଭକ ଉଦ୍’ବୋଧନ ଦେଇଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ଭାରତବର୍ଷର ଲକ୍ଷାଧିକ ସ୍ଥାନରେ ବିଶାଳ ହିନ୍ଦୁ ସମ୍ମିଳନୀ ମାନ ଅନୁଷ୍ଠିତ ହେଉଅଛି ।

ବିଶ୍ୱର ସର୍ବ ପ୍ରାଚୀନ ସନାତନ ହିନ୍ଦୁ ସଂସ୍କୃତି ତଥା ଯୋଗ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ବିଶ୍ୱର ଅନ୍ୟ ଦେଶମାନେ ସେଥିରେ ପ୍ରଭାବିତ ହୋଇ ଆମର ମହାନ୍ ସଂସ୍କୃତିକୁ ଗ୍ରହଣ କରୁଛନ୍ତି ଏବଂ ତଦ୍ୱାରା ଭାରତବର୍ଷ ସାଂସ୍କୃତିକ ବିଶ୍ୱଗୁରୁ ହୋଇପାରିଛି ବୋଲି ମୁଖ୍ୟବକ୍ତା ଶ୍ରୀଯୁକ୍ତ ବହିଦାର ଉଦ୍’ବୋଧନ ଦେଇଥିଲେ | ପଶ୍ଚାତ୍ୟ ଅପସଂସ୍କୃତିରେ ଭ୍ରମିତ ନ ହୋଇ ନିଜର ସନାତନ ଧର୍ମ ସଂସ୍କୃତିକୁ ମନ ବଚନ କର୍ମରେ ପାଳନ କରିବା ପାଇଁ ସମସ୍ତଙ୍କୁ ସେ ନିବେଦନ ପୂର୍ବକ ମାତୃଭୂମି ଭାରତବର୍ଷ ଏବଂ ସନାତନ ହିନ୍ଦୁଧର୍ମ ହିନ୍ଦୁସଂସ୍କୃତିର ସୁରକ୍ଷା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଶ୍ରୀଯୁକ୍ତ ଲକ୍ଷ୍ମଣ ବେହେରାଙ୍କ ପରିଚାଳନାରେ ସମ୍ମାନୀତ ଅତିଥି ଭାବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କୁଚିଣ୍ଡା ନଗର କାର୍ଯ୍ୟବାହ ଶ୍ରୀଯୁକ୍ତ ଅତୁଲ କୁମାର ଅଗ୍ରଓ୍ବାଲ ସମ୍ମାନୀତ ଅତିଥି ଭାବରେ ଉପସ୍ଥିତ ଥିଲେ | ଶେଷରେ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | ବିଶାଳ ହିନ୍ଦୁ ସମ୍ମିଳନୀରେ ସମବେତ ସମସ୍ତେ ଶାନ୍ତିମନ୍ତ୍ର ପାଠ ଏବଂ ପ୍ରସାଦ ସେବନ କରିବା ପରେ ସମାରୋହ ଉଦ୍’ଯାପିତ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top