

ଖୁଣ୍ଟପାଲି ସ୍କୁଲର ବାର୍ଷିକୋତ୍ସବ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଖୁଣ୍ଟପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ପ୍ରଧାନ ଶିକ୍ଷକ ଜୟ ପ୍ରକାଶ ଗିରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଆମ ସଂସ୍କୃତି ଆମ ଖଳଣା ଯୋଜନାରୁ ଆୟୋଜିତ ଉକ୍ତ ଉତ୍ସବରେ ମଖ୍ୟ ଅତିଥି ଭାବେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନ୍ତୋଷ ବାଗ ଉପସ୍ଥିତ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପୁଟୁକା ୟୁ.ପି ସ୍କୁଲର ସହକାରୀ ଶିକ୍ଷକ ପ୍ରସନ୍ନ ଧରୁଆ, ଏସ୍.ଏମ୍.ସି ଚେୟାରପର୍ସନ୍ ଗଣ୍ଡାରାମ ସାହା, ପୂର୍ବତନ ଏସ୍.ଏମ୍ .ସି ଚେୟାରପର୍ସନ୍ ସୌଦାଗର ଭୁଏ, ମୋ ସ୍କୁଲ ଅଭିଯାନ ସଭାପତି ରାଜୀବ ବାରିକ ପ୍ରମୁଖ ଉପସ୍ଥିତ ରହି ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ପ୍ରାରମ୍ଭରେ ଭୂମିଦାତା ସ୍ବର୍ଗତ ଚନ୍ଦରଶେଖର ସାହା ଓ ପୂର୍ବତନ ଶିକ୍ଷାମନ୍ତ୍ରୀ ସ୍ବର୍ଗତ ସରସ୍ବତୀ ପଧାନଙ୍କ ସ୍ମୃତି ଚାରଣ କରାଯିବା ପରେ ନିକଟ ଅତୀତରେ ଦେହାନ୍ତ ହୋଇଥିବା ସ୍ଥାନୀୟ ସରପଞ୍ଚ ରାଜକିଶୋର ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଟି.ଗଣ୍ଡପାଲି ୟୁ.ପି ସ୍କୁଲର ପ୍ରଧାନ ଶିକ୍ଷକ ତଥା ନାଟ୍ୟକାର ଶଶିଭୂଷଣ ସାହୁ ସୁଚାରୁ ରୂପେ ସଭା ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ଗିରି ବାର୍ଷିକ ବିବରଣୀ ପଠନ କରିଥିଲେ ।


ବେତାର କଣ୍ଠଶିଳ୍ପୀ ଜୟଲାଲ ବୁଡେକ ପ୍ରାରମ୍ଭିକ ଓ ଉଦଯାପନୀ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିବା ବେଳେ ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ଷ୍ଟୁଡେଣ୍ଟ୍ ଅଫ୍ ଦ ଇଅର୍ ପୁରଷ୍କାର ପ୍ରଦାନ କରାଯାଇଥିଲା । ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ନିପୁଣ ଭାରତ ନିପୁଣ ଓଡିଶା, ଏଫ୍,ଏଲ୍.ଏନ୍ ଯୋଜନା ଅନୁସାରେ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଶିଶୁବାଟିକାରେ ୩ ଜଣ ଓ ପ୍ରଥମ ଶ୍ରେଣୀରେ ୩ ଜଣ ଶିକ୍ଷାର୍ଥୀଙ୍କ ନାମ ପଞ୍ଜିକରଣ ଉଦ୍ଦେଶ୍ୟରେ ଶିକ୍ଷାର୍ଥୀ ଓ ଅଭିଭାବକଙ୍କୁ ଫୁଳ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା । ଏହା ପରେ ଶିକ୍ଷର୍ଥୀଙ୍କର ଖଡିଛୁଆଁ ଉତ୍ସବ ପାଳନ କରାଯାଇଥିଲା ଏବଂ ଶିଶୁମାନେ ସାକ୍ଷରତା, ସଂଖ୍ୟାଜ୍ଞାନ ଓ ସୃଜନାତ୍ମକ ଷ୍ଟଲ ତ୍ରୟ ତଥା ବିଦ୍ୟାଳୟର ଭୌତିକ ପରିବେଶ ବୁଲି ବୁଲି ଦେଖିଥିଲେ। କାର୍ଯ୍ୟକ୍ରମ ମଧ୍ୟରେ ହେମନ୍ତ ଆରୁକ, ସୀତାରାମ ଦିପ, ଡୋଲିମଣି କୁମ୍ଭାର, ତ୍ରିନାଥ ସେଠ, ବିଡିଓ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ସହଯୋଗରେ ସାଫଳ୍ୟମଣ୍ଡିତ କାର୍ଯ୍ୟକ୍ରମ ଶେଷରେ ସହକାରୀ ଶିକ୍ଷୟିତ୍ରୀ ସରସ୍ବତୀ କରାଳୀ ଧନ୍ୟବାଦ ଜ୍ଞାପନ କରିଥିଲେ । ପରେ ଛାତ୍ରୀ ଛାତ୍ରମାନଙ୍କ ଦ୍ବାରା ମନୋରମ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।





