ଖଗେଶ୍ବର ସାହିତ୍ୟ କଳା ପରିଷଦର ପ୍ରସ୍ତୁତି ବୈଠକ

ଫେବୃୟାରୀ ୧୯ ରେ ହେବ ବାର୍ଷିକୋତ୍ସବ

ବିଜେପୁର/ବରଗଡ : ବରଗଡ଼ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦର ପ୍ରସ୍ତୁତି ବୈଠକ ସଭାପତି ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ, ଅଧ୍ୟାପକ ଡ.ଚିନ୍ମୟ ସାହୁ, କଣ୍ଠଶିଳ୍ପୀ ସୁଷମା ଭୋଇ, ଯୁବକବି ଦେବାଶିଷ ମେହେର, ଦିଲେଶ ମେହେର, ଦିଲ୍ଲୀପ କୁମାର ଦେବତା ପ୍ରମୁଖଙ୍କ ଉପସ୍ଥିତିରେ ସମ୍ପଦକ ରାଜେଶ୍ବଳ ବେହେରା ସ୍ବାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିବା ପରେ ବଛରକିଆ ଉଛବ (ବାର୍ଷିକୋତ୍ସବ) ଓ ପାର୍ବତୀ ଗିରି ଜୟନ୍ତୀ ପାଇଁ ଆଲୋଚନା ହୋଇଥିଲା । ଆଗାମୀ ଫେବୃଆରୀ ୧୯ ତାରିଖରେ ପରିଷଦର ବଛରକିଆ ଉଛବ ଆୟୋଜନ କରିବାକୁ ନିଷ୍ପତ୍ତି ହେଇଥିଲା । ଏଥିରେ ବିଶିଷ୍ଟ କଳାକାର ତୁଳସୀ ପ୍ରସାଦ ଗଡତୀୟାଙ୍କ ଜୟନ୍ତୀ ସହ ସାହିତ୍ୟପ୍ରାଣ କବି ଖଗେଶ୍ବର ଶେଠଙ୍କ ପୁଣ୍ୟ ତିଥି ପାଳନ କରାଯିବକୁ ସ୍ଥିର ହୋଇଛି । ଚଳିତବର୍ଷ ପ୍ରଥମ ଭାବେ କଳାକାର ତୁଳସୀ ପ୍ରସାଦ ଗଡତୀୟା କଳା ସମ୍ମାନ ଚିତ୍ରଶିଳ୍ପୀ ଅଭିମନ୍ୟୁ ମେହେରଙ୍କୁ ଓ ପ୍ରତି ବର୍ଷ ପରି ଖଗେଶ୍ବର ସାହିତ୍ୟ ସମ୍ମାନ ସାହିତ୍ୟିକ ଅମୃତ ଲାଲ ସାହୁଙ୍କୁ ପ୍ରଦାନ କରିବାକୁ ପ୍ରସ୍ତାବ ହୋଇଛି । ଅପରପକ୍ଷରେ ପରିଷଦର ସମ୍ବଲପୁରୀ ସାହିତ୍ୟ ପତ୍ରିକା ମହକେଲର ତୃତୀୟ ସଂଖ୍ୟା ପ୍ରକାଶ କରିବାକୁ ନିର୍ଦ୍ଧାରିତ ହୋଇଛି । ଉକ୍ତ ପତ୍ରିକା ପାଇଁ ସ୍ବରଚିତ ତଥା ଅପ୍ରକାଶିତ ଗଳ୍ପ, କବିତା, ଆଲୋଚନା, ପ୍ର୍ରବନ୍ଧ, ରମ୍ୟରଚନା, ଭ୍ରମଣକାହାଣୀ, ଫିଚର, ଜୀବନୀ ଲେଖା ଗୁଡିକ ଜାନୁୟାରୀ ୨୦ ସୁଦ୍ଧା ପଠାଇବାକୁ ଆହ୍ବାନ କରାଯାଇଛି । ଏହା ସହିତ କବିତା ଆସର ସହ ଲୋକନୃତ୍ୟ ପରିବେଷଣ କରାଯିବାକୁ ସ୍ଥିର ହୋଇଛି । ସେହିପରି ଆଗାମୀ ଜାନୁୟାରୀ ୨୦ ତାରିଖରେ ଟି.ଗଣ୍ଡପାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ବଡମା ପାର୍ବତୀ ଗିରି ଜୟନ୍ତୀ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ଶେଷରେ ଗୀତିକାର ମକରଧ୍ବଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top