ଖଗେଶ୍ବର ସାହିତ୍ୟ କଳା ପରିଷଦର ବଛରକିଆ ଉଛବ

ଡ.ସୁବାଷ ଓ ଗିରିଧାରୀ ଖଗେଶ୍ବର, ତୁଳସୀ ସମ୍ମାନରେ ସମ୍ବର୍ଦ୍ଧିତ

ବରଗଡ଼/ବିଜେପୁର ବରଗଡ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦର ବଛରକିଆ ଉଛବ ସଙ୍କର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ଡ. ପ୍ରଦୀପ କୁମାର ପ୍ରଧାନଙ୍କ ସଂଯୋଜନା ତଥା ସଭାପତି ନାଟ୍ୟକାର ମୋହନ ସିଂ କହ୍ନେଇଙ୍କ ଅଧ୍ୟକ୍ଷତାରେ କଳାକାର ତୁଳସୀ ପ୍ରସାଦ ଗଡତୀୟାଙ୍କ ଜୟନ୍ତୀ ଓ ସାହିତ୍ୟାପ୍ରାଣ କବି ଖଗେଶ୍ବର ଶେଠଙ୍କର ଶ୍ରାଦ୍ଧୋତ୍ସବ ପାଳନ କରାଯାଇଥିଲା । ଅତିଥି ଭାବେ ସାହିତ୍ୟିକା ପ୍ରମୋଦିନୀ ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର, ଶିକ୍ଷାବିତ ଘନଶ୍ୟାମ ସାହୁ, ବ୍ଲକ କୃଷି ଅଧିକାରୀ ନିତାଞ୍ଜଳୀ ବିଶି ପ୍ରମୁଖ ଉପସ୍ଥିତ ଥିବା ବେଳେ, ଆଲୋଚକ ଭାବେ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁରର ପ୍ରାଧ୍ୟାପକ ଡକ୍ଟର ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ଯୋଗଦେଇ ଦୁଇ ବିଦ୍ୱାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଜୀବନରେ ପ୍ରଗତି ପାଇଁ ପୂଜ୍ୟପୂଜାର ନିତାନ୍ତ ଆବଶ୍ୟକତା ରହିଛି, ସାରସ୍ବତ ସାଧକଙ୍କ ପ୍ରେରଣା ସହିତ ଅଧିକ ସାହିତ୍ୟ ସୃଷ୍ଟି କରି ଏହାର ପ୍ରଚାର ପ୍ରସାର ବଢେଇବା ସହିତ ବିଭିନ୍ନ ଭାଷାର ସାହିତ୍ୟ ଗୁଡିକୁ ପଢି ହୃଦବୋଧ ହେଲେ ଆମର ଭାଷା ଆହୁରୀ ଆଗେଇ ପାରିବ ବୋଲି ମତପ୍ରକାଶ ପାଇଥିଲା ।

ଶେଠ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସାହିତ୍ୟିକ ସୁବାଷ ମେହେରଙ୍କୁ ଖଗେଶ୍ବର ସାହିତ୍ୟ ସମ୍ମାନ ଓ ଚିତ୍ରଶିଳ୍ପୀ ଗିରିଧାରୀ ମେହେରଙ୍କୁ ତୁଳସୀ ପ୍ରସାଦ ଗଡତିୟା କଳା ସମ୍ମାନରେ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଦେବାଶିଷ ମେହେର ଓ ଯୁଗେଶ୍ବର ତାଣ୍ଡି କବିଦ୍ବୟ ମାନପତ୍ର ପଠନ କରିଥିଲେ । ଏହି ଅବସରରେ ଶ୍ରୀଅନ୍ନ ଅଭିଯାନରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ଆୟୋଜିତ ମିଲେଟ୍ସ ଖଦ୍ୟମେଳାକୁ ବ୍ଲକ କୃଷି ଅଧିକାରୀ ନିତାଞ୍ଜଳୀ ବିଶି ଉଦଘାଟିତ କରିଥଲେ ।

ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ସୁଷମା ଭୋଇ କବି ଶେଠଙ୍କର ନିବେଦନ କବିତା ପରିବେଷଣ କରିଥିଲେ । ସମ୍ପାଦକ ରାଜେଶ୍ବର ବେହେରା ସ୍ବାଗତ ଭାଷଣ ଓ ବାର୍ଷିକ ବିବରଣୀ ପଠନ କରିଥିଲେ । ଅଧ୍ୟାପିକା ରଶ୍ମି ରେଖା ବାରିକ ଅତିଥି ପରିଚୟ, ସହ-ସମ୍ପାଦକ ମକରଧ୍ବଜ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ ପରିଷଦର ବଛରକିଆ ସମ୍ବଲପୁରୀ ସାହିତ୍ୟ ପତ୍ରିକା ମହକେଲର ଚତୁର୍ଥ ସଂଖ୍ୟା ଲୋକାର୍ପିତ ହୋଇଥିଲା । ଉପ-ସଭାପତି ହୃଦମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବଛରକିଆ ଉଛବ ପୂର୍ବରୁ ବିଶିଷ୍ଟ ଚିତ୍ରଶିଳ୍ପୀ ତୁଳସୀ ପ୍ରସାଦ ଗଡତିୟାଙ୍କ ସ୍ମୃତିରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାକୁ ସାମାଜିକ କର୍ମୀ ମହେଶ ଦେବତା ଉଦଘାଟନ କରିଥିଲେ। ସମ୍ପାଦକ ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ନାଟ୍ୟକାର ମୋହନ ସିଂ କହ୍ନେଇ, ସଙ୍ଗଠକ ହୃଦମଣି ସାହୁ ‌ଯୋଗଦେଇଥିଲେ । ଉପ-କନିଷ୍ଠ ବିଭାଗ “ମୋର ଗାଁର ସକାଳ” ଚିତ୍ରାଙ୍କନରେ ଆୟୂଷ ସାହୁ ପ୍ରଥମ, କିଶୋର ଭୁଏ ଦ୍ବିତୀୟ, ପ୍ରାଚୀ କୁମ୍ଭାର ତୃତୀୟ ସ୍ଥାନ ଅଧିକାର କରିଥିଲେ । “ଝିମ୍ କଲିଆ ବାଦଲ ଦେଖି ମୟୂର ନାଚୁଛେ” ଶୀର୍ଷକ କନିଷ୍ଠ ବିଭାଗରେ ଆୟୂଷ ସୁନା, ଆଦର୍ଶ ରାଉତ, ଗଙ୍ଗା ମେହେର କୃତିତ୍ବ ସହିତ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ହୋଇଥିଲେ । ବରିଷ୍ଠ ବିଭାଗର “ଆମର ତିହାର ଗୁଁଡିଖାଇ” ଚିତ୍ରାଙ୍କନ ପ୍ରତିଯୋଗିତାରେ ସାନଭି ପାଢୀ ପ୍ରଥମ, ପ୍ରଜ୍ଞା ଭାରତୀ ନାଏକ ଦ୍ବିତୀୟ, ସୂରଜ ମେହେର ତୃତୀୟ ହୋଇଥିଲେ ।

କବି ମକରଧ୍ବଜ ସାହୁଙ୍କ ସଂଯୋଜନାରେ ବହୁଭାଷୀ କବିତା ଆସର ଅନୁଷ୍ଠିତ ହୋଇଥିଲା । କବି ଅଶୋକ କୁମାର ପୁଜାରୀ, ସ୍ତମ୍ଭକାର ତଥା ଅଧ୍ୟାପକ ସୁଶାନ୍ତ କୁମାର ମିଶ୍ର, ଆଶୁତୋଷ ମେହେର, ବିଶ୍ବବାଣୀର ଜିଲ୍ଲା ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ, ସାମାଜିକ କର୍ମୀ ଜନାର୍ଦ୍ଦନ ପାଣିଗ୍ରାହୀ, ବୀରମହାରାଜପୁର କଲେଜର ଅଧ୍ୟାପକ ପ୍ରକାଶ ସେଠ, ନାଟ୍ୟକାର ରାଜେନ୍ଦ୍ର ମହାନ୍ତି, କବି ଭରତ ନାଏକ ଅତିଥି ଭାବେ ଯୋଗଦେଇ ଥିଲେ । ଅହଲ୍ୟା ପଧାନ, ବିକ୍ରମ ସାହୁ, ଦିବ୍ୟସିନୀ ପଧାନ, ମାଲଫୁଲୁ ହରିପାଲ, ମକରଧ୍ବଜ ମେହେର, ଗୋବିନ୍ଦ ସେଠଙ୍କ ସମେତ ବହୁ କବି ସ୍ବରଚିତ କବିତାମାନ ପାଠ କରିଥିଲେ । ସତ୍ ସାହିତ୍ୟ ସର୍ବଦା କାଳଜୟୀ ହୋଇ ରହେ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । କବି ଦିଲେଶ ମେହେର ଅତିଥି ପରିଚୟ, କବୟିତ୍ରୀ ସାବିତ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଚତୁର୍ଥ ଅଧିବେଶନରେ ଆୟୋଜିତ ନୃତ୍ୟ ମହୋତ୍ସବରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ସରଗିଡାଙ୍ଗ କଲା ପରିଷଦ ଟି.ଗଣ୍ଡପାଲିର ନୃତ୍ୟ ଶିଳ୍ପୀଗଣ ସାମିଲ ଥିଲେ । ନମିତା ବେହେରାଙ୍କ ସଂଯୋଜନାରେ ପ୍ରତିମା ସେଠ, ମନୋଜ ପାଣ୍ଡେ, ହେମରେଣୁ ମେହେର ପ୍ରମୁଖ ନୃତ୍ୟ ମହୋଛବକୁ ପରିଚାଳନାରେ ସହଯୋଗ କରିଥିଲେ । କଣ୍ଠଶିଳ୍ପୀ ଗୋବିନ୍ଦ ସେଠଙ୍କ ସଞ୍ଚାଳନରେ ପଞ୍ଚମ ଅଧିବେଶନରେ ସଙ୍ଗୀତ ସରଗମ ଅନୁଷ୍ଠିତ ହୋଇଥିଲା । ଆକାଶବାଣୀ କଣ୍ଠଶିଳ୍ପୀ ଲେଖାରାମ ମେହେର ଓ ଜୟଲାଲ ବୁଡ଼େଇ, ଅଜିତ କୁମାର ପାଣିଗ୍ରାହୀ, କିଶୋର ଚନ୍ଦ୍ର ଗଡତିୟା, ପିଙ୍କୁ ସାହୁ, ଶେଷଦେବ, ସୁଷମା ଭୋଇ, ଶୁଭମ ସାହୁ ପ୍ରମୁଖ ସଙ୍ଗୀତ ପରିବେଷଣ କରିଥିଲେ । ଦେବେନ୍ଦ୍ର ମଟାରୀ, ବିଜୟ ବେଶ୍ରା, ବରୁଣ ବାଗ, ହରିଶଙ୍କର ଛତର ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । ଷଷ୍ଠ ଅଧିବେଶନରେ ଅରୁଣ ବାଗଙ୍କ ନିର୍ଦେଶନାରେ ଜାରିଂର କଳାକାରଗଣ ଲୋକନୃତ୍ୟ ଘୁଡୁକା ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ । ନୀଳମଣି ମେହେର, ପ୍ରଭାତ ରଞ୍ଜନ ସାହୁ, ଦୁର୍ବାଦଳ ବଡଗୋଛିଆ, ଭାଗବତ ପଧାନ, ଭରତ ସାହୁ, ତୁଳସୀ ରାମ ମେହେର, ଶେଷ ମେହେର, ପୀତବାସ ମେହେର ପ୍ରମୁଖ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top