

କାଶିପାଲି ଉ.ପ୍ରା ବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ
ଭଟଲି/ବରଗଡ : ବରଗଡ ଜିଲ୍ଲା ଭଟଲି ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କାଶିପାଲି ସରକାରୀ ଉ.ପ୍ରା ବିଦ୍ୟାଳୟରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଫେବୃଆରୀ ୨୧ ତାରିଖ ବିଶ୍ୱବ୍ୟାପି ଏହା ପାଳିତ ହେଉଥିବା ବେଳେ ଏହି ଅବସରରେ, ମାତୃଭାଷାକୁ ବ୍ୟକ୍ତିର ପରିଚୟ ଏବଂ ଐତିହ୍ୟର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ସଂରକ୍ଷଣ କରିବାର ଗୁରୁତ୍ୱ ଉପରେ ଧ୍ୟାନ ଦିଆଯାଇଥିଲା । ଏସ୍.ଏମ୍.ସି ତେୟାରପର୍ସନ ପବିତ୍ର ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗ୍ରାମର ଭଦ୍ରବ୍ୟକ୍ତି ମାନଭଞ୍ଜନ ପଧାନ ଉପସ୍ଥିତ ରହି ଭାଷାର ଉତ୍ପତ୍ତିରୁ ଅଭିବୃଦ୍ଧି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ସହକାରୀ ଶିକ୍ଷକ ପ୍ରଦୀପ କୁମାର ପଧାନ ଅତିଥି ପରିଚୟ ସହିତ ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । “ସାରା ବିଶ୍ୱରେ ଆମର ସାଂସ୍କୃତିକ ଐତିହ୍ୟ, ବିବିଧତାକୁ ସଂରକ୍ଷଣ ଏବଂ ବିକାଶ କରିବାର ସବୁଠାରୁ ଶକ୍ତିଶାଳୀ ଉପାୟ ଭାଷା ହୋଇଥିବା ବେଳେ ମାତୃଭାଷାର ସୁରକ୍ଷା ଓ ସଂରକ୍ଷଣର ଗୁରୁତ୍ୱ ଉପରେ ପ୍ରଧାନ ଶିକ୍ଷକ ସୁଦାମ ସେଟ୍ ଆଲୋକପାତ କରିଥିଲେ । କମିଟି ସଦସ୍ୟ ରମେଶ ପଧାନ ସ୍ବଭାବ କବି ଗଙ୍ଗାଧର ମେହେର ଓ ପଦ୍ମଶ୍ରୀ ହଳଧର ନାଗଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଭାଷାଗତ ବିବିଧତା ପ୍ରଦର୍ଶନ ନିମିତ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାତୃଭାଷାରେ ପଦ୍ୟାବୃତ୍ତି, ଗଳ୍ପ କଥନ, ବକ୍ତୃତା, କୁଇଜ୍, ଚିତ୍ରାଙ୍କନ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ ଏଥିରେ ସହକାରୀ ଶିକ୍ଷକ ଗୋବିନ୍ଦ ବାଗ, ଦେବ ପ୍ରସାଦ ବାଗ, ଦୟାନିଧି ମହାପାତ୍ର ସହଯୋଗ କରିଥିଲେ । ଏହି ଅବସରରେ ସ୍କୁଲର ଓ୍ବାଲ୍ ମାଗାଜିନ୍ “ଅସ୍ମିତା” ଉନ୍ମୋଚିତ ହୋଇଥିଲା । ଶେଷରେ, ବରିଷ୍ଠ ଶିକ୍ଷକ ନେହେରୁ ପାଇକ ଧନ୍ୟବାଦ ଅର୍ପଣ କରିଥିଲେ।



