

ଶିକ୍ଷା ହେଉଛି ଭବିଷ୍ୟତ ଗଠନର ଚାବିକାଠି ବୋଲି ମତ ପ୍ରକାଶ
ଭଟଲି/ବରଗଡ : ବରଗଡ ଜିଲ୍ଲା ଭଟଲି ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ କାଶିପାଲି ସରକାରୀ ଉ.ପ୍ରା ବିଦ୍ୟାଳୟରେ ବହୁ ପ୍ରତୀକ୍ଷିତ ବାର୍ଷିକୋତ୍ସବ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁଦାମ ସେଟଙ୍କ ସଭାପତିତ୍ବରେ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଏସ୍.ଏମ୍.ସି ଚେୟାରପର୍ସନ ପବିତ୍ର ମହାପାତ୍ର ଦୀପ ପ୍ରଜ୍ଜଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ମୁଖ୍ୟବକ୍ତା ଭାବେ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର କୁମାର ହୋତା ଯୋଗ ଦେଇ, “ଶିକ୍ଷା ହେଉଛି ଭବିଷ୍ୟତ ଗଠନର ଚାବିକାଠି, ଏବଂ କାଶିପାଲିର ଛାତ୍ରଛାତ୍ରୀମାନଙ୍କୁ ଶ୍ରେଣୀଗୃହ ଭିତରେ ଏବଂ ବାହାରେ ଉତ୍କର୍ଷ ହାସଲ କରିବା ପାଇଁ ସର୍ବଦା ଚେଷ୍ଟିତ ହେବା ଆବଶ୍ୟକ” ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନୀତ ଅତିଥି ଭାବେ ଓଏଭି ର ଶିକ୍ଷକ ସୁଶାନ୍ତ ବଢେଇ ଉପସ୍ଥିତ ରହି ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗ୍ରାମର ଗୌନ୍ତିଆଣୀ ବିଦୁମୁଖି ମହାପାତ୍ର, ବରିଷ୍ଠ ସାମ୍ବାଦିକ ନରସିଂହ ଚରଣ ସାହୁ, ଗ୍ରାମ୍ୟ ଶାନ୍ତି କମିଟି ସମ୍ପାଦକ ବିଦ୍ୟାଧର ମହାପାତ୍ର, ପୂର୍ବତନ ଚେୟାରମେନ ମାନଭଞ୍ଜନ ପଧାନ ମଞ୍ଚାସୀନ ଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସେଟ ବାର୍ଷିକ ବିବରଣୀ ପଠନ କରିଥିଲେ । ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଭଟଲି ବିଧାୟକଙ୍କ ମାତା ତଥା ବିଶିଷ୍ଟ ସମାଜସେବିକା ସିନ୍ଧୁନନ୍ଦିନୀ ଆଚାର୍ଯ୍ୟ ଯୋଗ ଦେଇ ବିଦ୍ୟାଳୟର ସ୍ଥିର ଶିକ୍ଷାଗତ ଉତ୍କର୍ଷତା ଏବଂ ସାମଗ୍ରିକ ବିକାଶରେ ପ୍ରୟାସକୁ ପ୍ରଶଂସା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ନାରଙ୍ଗପୁରରୁ ଗୁପ୍ତଚନ୍ଦ୍ର ରାୟ, ଝାଙ୍କରପାଲରୁ ସାନନ୍ଦ ସାହୁ ପ୍ରମୁଖ ସି.ଆର୍.ସି.ସି ଙ୍କ ସମେତ ଭଟଲି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଯୋଗେଶ୍ୱର ପଧାନ, ତାଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଭୁଏ ମଞ୍ଚାସୀନ ଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ପନ୍ଦନଶୀଳ ନୃତ୍ୟ ଗୀତ କଳା ପ୍ରଦର୍ଶନ ସେମାନଙ୍କର ପ୍ରତିଭା ଏବଂ ସୃଜନଶୀଳତାକୁ ପ୍ରସ୍ଫୁଟିତ କରିଥିବା ବେଳେ ଉପସ୍ଥିତ ଦର୍ଶକଙ୍କ ମପମୁଗ୍ଧ କରିଥିଲା । ଏହି ଅବସରରେ କ୍ରୀଡା, ନାଚ ଗୀତ, ସହପାଠ୍ୟକ୍ରମ ଆଦି ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରଷ୍କୃତ କରାଯାଇଥିଲା । ଜଳଧର ଲୁହା, ସୁନୀଲ ଦାଶ, ସୁଶ୍ରୀ ମୀରା ବଘେଲ ଏହାକୁ ପରିଚାଳନା କରିଥିବା ବେଳେ ପଞ୍ଚସଖା ଶିକ୍ଷାସେତୁ ଯୋଜନାରେ ଯଥାକ୍ରମେ ପଚାଶ ହଜାର ଓ ତିରିଶ ହଜାର ଆର୍ଥିକ ସହାୟତା ଦେଇଥିବା ଗ୍ରାମ୍ୟ ଶାନ୍ତି କମିଟି ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟାଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ନେହେରୁ ପାଇକ, ଗୋବିନ୍ଦ ବାଗ, ଦେବ ପ୍ରସାଦ ବାଗ, ଶିକ୍ଷୟିତ୍ରୀ ସୁନୀତା ମହାପାତ୍ର ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ଶିକ୍ଷକ ପ୍ରଦୀପ କୁମାର ପଧାନ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





