କବି ଦିନେଶ ଅଗ୍ରଓ୍ବାଲାଙ୍କୁ ମିଳିଲା ପ୍ରଜନ୍ମ ଯୁବ ସାହିତ୍ୟ ସମ୍ମାନ

କବି ଦିନେଶ ଅଗ୍ରଓ୍ବାଲାଙ୍କୁ ମିଳିଲା ପ୍ରଜନ୍ମ ଯୁବ ସାହିତ୍ୟ ସମ୍ମାନ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟର ଓଡିଆ ବିଭାଗ ଅଧ୍ୟାପକ ତଥା ଯୁବ କବି ଦିନେଶ ଅଗ୍ରଓ୍ବାଲା ପ୍ରଜନ୍ମ ପରିବାର, ଭୁବନେଶ୍ୱର ତରଫରୁ ଢେଙ୍କାନାଳ ଗୋପବନ୍ଧୁ ଟାଉନହଲ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ଲେଖକ ସମାବେଶ ଓ ବିଷୁବ ବନ୍ଧୁ ମିଳନ ଉତ୍ସବ ମହାସମାରୋହ ଅବସରରେ ପ୍ରଜନ୍ମ ଯୁବ ସାହିତ୍ୟ ସମ୍ମାନରେ ସମ୍ମାନୀତ ହୋଇଥିବାର ସୂଚନା ମିଳିଛି l ତାଙ୍କର ଦୀର୍ଘ କବିତା ‘ନୀଳ ଅଭିମାନ’ ପୁସ୍ତକ ପାଇଁ ଏହି ସମ୍ମାନରେ ସେ ସମ୍ମାନୀତ ହୋଇଥିବା ବେଳେ, ସଭାରେ ଓଡିଶାର କୋଣ ଅନୁକୋଣରୁ ଯୁବ ଲେଖକ ତଥା ବିଶିଷ୍ଠ ସାହିତ୍ୟ ସାଧକଙ୍କର ସମାଗମ ହୋଇଥିଲା । ବରିଷ୍ଠ କବୟିତ୍ରୀ ମନୋରମା ବିଶ୍ବାଲ ମହାପାତ୍ର, କବି ବିଜୟ ମଲ୍ଲ, ନାଟ୍ୟକାର ସଞ୍ଜୟ ହାତୀ, ପ୍ରାବନ୍ଧିକ ପ୍ରଫୁଲ୍ଲ କୁମାର ପାଣି, ଗାଳ୍ପିକ ଅଜୟ ସ୍ୱାଇଁ, କଥାକାର ସତ୍ୟପ୍ରିୟ ମହାଲିକ, କବୟିତ୍ରୀ ପ୍ରବାସିନୀ ମହାକୁଡ଼, ଗୋକାର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା, ପରେଶ ପଟ୍ଟନାୟକ ପ୍ରମୁଖ ସାହିତ୍ୟ ସାରଥୀ ଉପସ୍ଥିତ ରହି ସଭାର ଶୋଭାବର୍ଦ୍ଧନ କରିଥିଲେ । ପ୍ରଜନ୍ମ ପରିବାରର ମୁଖ୍ୟ ସମ୍ପାଦକ ଦେବାନନ୍ଦ ଦାସ ସଭା ପରିଚାଳନା କରିଥିଲେ । ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଚିଖିଲି ଗ୍ରାମର ପିତା – ଜୟପ୍ରକାଶ ଅଗ୍ରଓ୍ବାଲା ଓ ମାତା – କାନ୍ତା ଅଗ୍ରଓ୍ବାଲାଙ୍କ ସୁଯୋଗ୍ୟ ସନ୍ତାନ ଭାବେ ୧୯୯୪ ଜୁଲାଇ ୧୪ ତାରିଖରେ ଜନ୍ମିତ ଦିନେଶ ୧୯୧୩ ମସିହାରୁ ଲେଖିବା ଆରମ୍ଭ କରିଥିବା ବେଳେ ଓଡିଆ ଓ ସମ୍ବଲପୁରୀ ଭାଷାରେ ଲିଖିତ ତାଙ୍କ କବିତା ଓ ସମାଲୋଚନା ବିଭିନ୍ନ ପତ୍ରପତ୍ରିକା ଓ ପୁସ୍ତକରେ ପ୍ରକାଶିତ ହୋଇଥିବା ସେ କରିଥିଲେ । ଯୁବକବି ଭାବେ ସମ୍ବର୍ଦ୍ଧିତ ହେବାର ଖବର ପାଇବା ପରେ ବିଭିନ୍ନ ବ୍ୟକ୍ତିବିଶେଷ ତଥା ଅନୁଷ୍ଠାନ ତରଫରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ସହିତ ଉଜ୍ଜଳ ଭବିଷ୍ୟତର କାମନା ପହଞ୍ଚୁଛି ।

Leave a Comment

Your email address will not be published. Required fields are marked *

Scroll to Top