

ବନ୍ ତୁଳସୀ ସାହିତ୍ୟ ସଂସଦ, ହୀରାକୁଦର ବାର୍ଷିକୋତ୍ସବ ଉତ୍ସବ ୨୦୨୬


ସମ୍ବଲପୁର/ହୀରାକୁଦ : ସମ୍ବଲପୁର ଜିଲ୍ଲା ହୀରାକୁଦ ସୁଭାଷ ପଡିଆ ପରିସରରେ ବନ୍ ତୁଳସୀ ସାହିତ୍ୟ ସଂସଦ, ହୀରାକୁଦ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସାରସ୍ବତ ସମାରୋହ ଓ ବାର୍ଷିକୋତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଛି । କବି କର୍ମରାଜ ମଲ୍ଲିକଙ୍କ ଆବାହନ କ୍ରମେ ଅବସରପ୍ରାପ୍ତ ପ୍ରଶାସକ ତଥା କବି ଡ.ମୂରଲୀଧର ନାୟକଙ୍କ ସଭାପତିତ୍ବରେ ପଦ୍ମଶ୍ରୀ ଡ. ଜିତେନ୍ଦ୍ର ହରିପାଲ, ସମାଜସେବୀ ନିହାଲ ସିଂ, ବ୍ୟଙ୍ଗକବି ଗଦାଧର ନିଆଲ୍, ସମ୍ବଲପୁର ସରକାରୀ ବିଇଡି କଲେଜର ଆସିଷ୍ଟାଣ୍ଟ ପ୍ରଫେସର୍ ମମତା ପ୍ରିୟଦର୍ଶିନୀ ସାହୁ, ଆଦର୍ଶ ନେତା ସୋମନାଥ ମିଶ୍ର ଓ ଅନ୍ୟାନ୍ୟ ବିଶିଷ୍ଟ ପଦାଧିକାରୀ ବ୍ୟକ୍ତିତ୍ବଗଣ ଉପସ୍ଥିତ ରହି ଭାଷା ସାହିତ୍ୟ ଉପରେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ ।


ଉତ୍ତର ପୀଢି ସାହିତ୍ୟକୁ କିପରି ଆଗକୁ ନେବେ, ସେ ବିଷୟରେ ଅତିଥିଗଣଙ୍କ ବକ୍ତବ୍ୟରେ ସମାଜ ପାଇଁ ହିତୋପଦେଶ ଲୁଚି ରହିଥିବା ବେଳେ ଗଙ୍ଗାଧରୀୟ ସାହିତ୍ୟ, ରାଧାନାଥୀୟ ସାହିତ୍ୟ ପୁଣି ଥରେ ବିଶ୍ବରେ ମୁଣ୍ଡ ଟେକି ଉଠିବ, ଓଡିଶାର ସାହିତ୍ୟ ଓ କଳା ସଂସ୍କୃତିକୁ ଆଗକୁ ବଢେଇବ ଏବଂ ଆମ ଓଡିଆ ଭାଷା ସାହିତ୍ୟ ଓ କଳା ସଂସ୍କୃତିର ପ୍ରଚାର ପ୍ରସାର ପ୍ରତି ସମସ୍ତେ ଯତ୍ନବାନ ହେବା ବିଧେୟ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ କବିଗଣ ସ୍ବରଚିତ କବିତା ପାଠ କରି ପ୍ରଶଂସା ପାଇଥିଲେ ଓ ସେମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନୀତ କରାଯାଇଥିଲା । ଏଥି ସହିତ ବିଶିଷ୍ଟ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


ଏହି ଅବସରରେ ଚିତ୍ରଶିଳ୍ପୀ ଗାୟତ୍ରୀ ନାୟକ ନିଜେ ଆଙ୍କିଥିବା ଚିତ୍ର ଯଥା- ସମ୍ବଲପୁରୀ ଗୀତକୁ ବିଶ୍ବ ଦରବାରରେ ପରିଚିତ କରେଇଥିବା ବିଶିଷ୍ଟ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ.ଜିତେନ୍ଦ୍ର ହରିପାଲ ଓ ବିଶିଷ୍ଟ ସମାଜସେବୀ ଡ.ନିହାଲ ସିଂଙ୍କ ପୃଥକ ଚିତ୍ରକୁ ସେମାନଙ୍କୁ ଉଦାର ଚିତ୍ତରେ ଉପହାର ଦେଇ ପ୍ରଶଂସା ଭାଜନ ହୋଇଥିଲେ । ରୋମାଣ୍ଟିକ୍ କବି ବିପିନ ବିହାରି ପୃଷ୍ଟିଙ୍କ ସଂଯୋଜନାରେ ସମ୍ପାଦକ ବିନୟ ସୁନାଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ । ଶେଷରେ ଆବାହକ କବି ଶ୍ରୀ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





