

ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତାର ପ୍ରବନ୍ଧ ଲିଖନ ଫଳାଫଳ ପ୍ରକାଶିତ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ଗଙ୍ଗାଧର ଜୟନ୍ତୀ ଉପଲକ୍ଷେ ବ୍ଲକସ୍ତରୀୟ ଗଙ୍ଗାଧର ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏହି ପ୍ରବନ୍ଧ ପ୍ରତିଯୋଗିତାରେ ସପ୍ତମ ଶ୍ରେଣୀରୁ ଡିଗ୍ରୀ କଲେଜ ପର୍ଯ୍ୟନ୍ତ ଚାରିଗୋଟି ବିଭାଗରେ ଛାତ୍ରଛାତ୍ରୀମାନେ ସାମିଳ ହୋଇଥିଲେ । ବୁଧବାର ଏହି ପ୍ରତିଯୋଗିତାର ଫଳାଫଳ ପ୍ରକାଶିତ ହୋଇଛି । ଗଙ୍ଗାଧର ସାହିତ୍ୟରେ ପୌରାଣିକତା ଶୀର୍ଷକ ଉଚ୍ଚ ପ୍ରାଥମିକ ସ୍କୁଲର ପ୍ରତିଯୋଗିତାରେ ବିଜେପୁର ଓଏଭିର ତନୁ ସୁନା ପ୍ରଥମ, ଶିଶୁ ବିଦ୍ୟାମନ୍ଦିରର ଓମ କୁମାର ସାହୁ ଦ୍ବିତୀୟ, ସ୍ଥାନୀୟ ସଙ୍କର୍ଷଣ ଉଚ୍ଚ ପ୍ରାଥମିକର ସମ୍ଭବି ସାହୁ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଗଙ୍ଗାଧରଙ୍କ କାବ୍ୟରେ ଆଶ୍ରମର ଚିତ୍ର ଶୀର୍ଷକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଭାଗରେ ଟି.ଗଣ୍ଡପାଲି ପଞ୍ଚାୟତ ହାଇସ୍କୁଲର ଜ୍ୟୋତିର୍ମୟୀ ହରିପାଲ ପ୍ରଥମ, ପଥର୍ଲା ହାଇସ୍କୁଲର ଜ୍ୟୋତିର୍ମୟୀ ଦୀପ ଦ୍ବିତୀୟ, ସ୍ଥାନୀୟ ସରକାରୀ ହାଇସ୍କୁଲର ଶ୍ରୀୟା ବିଶ୍ବାଳ ତୃତୀୟ ହୋଇଛନ୍ତି । ଗଙ୍ଗାଧରଙ୍କ ପ୍ରକୃତି ଚିତ୍ରଣରେ ଉତ୍କଳର ପରିଚୟ ଶୀର୍ଷକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଭାଗରେ ସ୍ଥାନୀୟ କଲେଜର ଛାତ୍ରୀ ସ୍ମୃତି ପ୍ରଜ୍ଞା ପ୍ରଧାନ ଓ ସୁନାଲୀ ଦେହେରୀ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ହୋଇଥିବାବେଳେ ରେଡିଏନ୍ସ କଲେଜର ଅଙ୍କିତ ରଣା ତୃତୀୟ ସ୍ଥାନ ହାସଲ କରିଛନ୍ତି । ଗଙ୍ଗାଧର ସାହିତ୍ୟରେ ସମ୍ବଲପୁରୀ ଶବ୍ଦର ପ୍ରୟୋଗ ଶୀର୍ଷକ ଡିଗ୍ରୀ କଲେଜ ସ୍ତରୀୟ ପ୍ରବନ୍ଧ ଲିଖନରେ ସ୍ଥାନୀୟ କଲେଜର ସସ୍ମିତା ମହାନନ୍ଦ, ସୋନାଲି ସାହୁ, ରୋଜି ପାତ୍ର କୃତିତ୍ବର ସହ ଯଥାକ୍ରମେ ପ୍ରଥମ ଦ୍ବିତୀୟ ଓ ତୃତୀୟ ହୋଇଛନ୍ତି । କବି ତୁଳସୀ ରାମ ମେହେର, ଦେବାଶିଷ ମେହେର, ସିଆରସିସି ପ୍ରଭାତ ରଞ୍ଜନ ସାହୁ ଓ ଦୁର୍ବାଦଳ ବଡଗୋଛିଆ ପ୍ରମୁଖ ନିରୀକ୍ଷକ ଦାୟିତ୍ବ ନିର୍ବାହ କରିଥିଲେ । ପ୍ରାଧ୍ୟାପକ ଡ଼.ପ୍ରଦୀପ କୁମାର ପ୍ରଧାନ, ଅବସରପ୍ରାପ୍ତ ପ୍ରାଧ୍ୟାପକ ରେବନ୍ତ କୁମାର ମେହେର, ଅଧ୍ୟାପିକା ରଶ୍ମିରେଖା ବାରିକ, ରାଜେଶ୍ବର ବେହେରା ପ୍ରମୁଖ ବିଚାରକ କର୍ମ ସଂପାଦନ କରିଥିଲେ । ପୂର୍ବରୁ ଆୟୋଜିତ ସଂଗୀତ, ବକ୍ତୃତା, ତର୍କ ସହ ପ୍ରବନ୍ଧ ପ୍ରତିଯୋଗିତାର ସମସ୍ତ ସଫଳ ପ୍ରତିଯୋଗୀଙ୍କୁ ଆଗାମୀ ୧୦ ତାରିଖରେ ରେଡିଏନ୍ସ ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ଗଙ୍ଗାଧର ଜୟନ୍ତୀ ସମାରୋହରେ ପୁରସ୍କୃତ କରାଯିବ ବୋଲି ଖଗେଶ୍ବର ସାହିତ୍ୟ କଳା ପରିଷଦର ସହ-ସମ୍ପାଦକ ମକରଧ୍ବଜ ସାହୁ ଜଣାଇଛନ୍ତି ।



