ଧାନ ବିକ୍ରୀ ପଞ୍ଜିକରଣ ସମସ୍ୟାକୁୁ ନେଇ ଚାଷୀ ଦେଲେ ଦାବୀପତ୍ର

Oplus_131072

ଧାନ ବିକ୍ରୀ ପଞ୍ଜିକରଣ ସମସ୍ୟାକୁୁ ନେଇ ଚାଷୀ ଦେଲେ ଦାବୀପତ୍ର

ବିଜେପୁର : ରେକର୍ଡଧାରୀଙ୍କ ମୃତ୍ୟୁ ହୋଇଥିଲେ ବଂଶୀୟ ଚାଷୀଙ୍କ ଧାନ ବିକ୍ରୀ ପଞ୍ଜିକରଣ କରିବାରେ ସମସ୍ୟା ଦେଖାଦେଇଥିବା ବେଳେ ଆଜି ବରଗଡ ଜିଲ୍ଲା ବିଜେପୁର ବ୍ଲକ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଏଥିରେ ଉଲ୍ଲେଖ ରହିଛି ଯେ, ପ୍ରଥମ ଥର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହୋଇଥିବା ବେଳେ ଏବେ ଚାଷୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳେ । ବର୍ତ୍ତମାନ ଧାନ ବିକ୍ରୀ ପଞ୍ଜିକରଣକୁ ନେଇ ସୃଷ୍ଟି କରିଥିବା ଆଇନ କୃଷକଙ୍କ ମୁହଁର ଚେନାଏ ହସକୁ ଉଭେଇ ଦେଇଛି । ରେକର୍ଡଧାରୀଙ୍କ ମୃତ୍ୟୁ ହୋଇଥିଲେ ବଂଶୀୟ ଚାଷୀଙ୍କ ଧାନ ବିକ୍ରୀ ପଞ୍ଜିକରଣ ନହେବା ଏକ ସମ୍ପୁର୍ଣ୍ଣ ଚାଷୀ ବିରୋଧୀ ଅଟେ। ଚଳିତ ବର୍ଷ କୃଷକ ନୂତନ ଭାବରେ ଧାନ ବିକ୍ରୀ ପାଇଁ ପଞ୍ଜୀକୃତ ହେବେ ଯାହାର ନାମରେ ଜମି ଥିବ ସେହି ଚାଷୀ ଠିକ୍ ଭାବେ ପଞ୍ଜୀକୃତ ହୋଇ ପାରୁଥିବା ବେଳେ ରେକର୍ଡଧାରୀଙ୍କ ମୃତ୍ୟୁ ହୋଇଯାଇଥିଲେ ଧାନ ବିକ୍ରୀ ପଞ୍ଜିକରଣ ପାଇଁ ଅନେକ ସମସ୍ୟା ଦେଖା ଦେଇଛି । ପ୍ରଥମେ ଯୌଥ ଜମିପଟ୍ଟା କାରଣରୁ ଅନେକ ଦାବିଦାର ବାହାରିବେ । ରେକର୍ଡ ଧାରୀଙ୍କ ସମସ୍ତ ବଂଶୀୟ ପୁଅ ଝିଅ ବା ବଂଶାନୁକ୍ରମିକ ଭାବେ ସମାନ ଭାବରେ ଜମି ମାଲିକାନା ସ୍ୱତ୍ୱ ପାଇବେ । ଯିଏ ଜମି ଚାଷ କରୁଥିବ, ସେହି ସମସ୍ତ ବଂଶାନୁ କ୍ରମିକ ସତ୍ବଧାରୀମାନଙ୍କ ଲିଖିତ ସହମତି ଦେବାକୁ ପଡ଼ିବ । ଗୋଟିଏ ମାସ ଅବଧି ମଧ୍ୟରେ ଚାଷବାସ କରିବ ନା ସତ୍ବଧାରୀଙ୍କ ସହମତି ସଂଗ୍ରହ କରିବ ତାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ । ସହମତି ଆଣି ନପାରିଲେ ଧାନ ବିକ୍ରୀ ପାଇଁ ପଞ୍ଜିକରଣ ହୋଇ ପାରିବ ନାହିଁ । ଏହା କି ପ୍ରକାର ଆଇନ ତାକୁ ନେଇ ଚାଷୀ କୂଳରେ ଚର୍ଚ୍ଚା ଜୋର ଧରିଛି । ଏହା ଦ୍ବାରା କୃଷି ଅର୍ଥନୀତି ଏବଂ କୃଷକ ସମାଜ ଉପରେ ଗଭୀର ପ୍ରଭାବ ପଡିବା ସହ କଳାବଜାରୀ ବଢିବ, କୃଷକ ସରକାରୀ ସଂସ୍ଥାକୁ ଧାନବିକ୍ରୀ କରି ନପାରି ଦଲାଲ ମାନଙ୍କୁ ଶସ୍ତାରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହେବେ । ଏହା ହିଁ ସରକାରଙ୍କ ନୀତି କି ? ଏହାକୁ ନେଇ କୃଷକ ସଂଗଠନ ବିଜେପୁର ସଭାପତି ସୁବାସ ପଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଜେପୁର ତହସିଦାର ଶ୍ରୀଯୁକ୍ତ ମୁକ୍ତେଶ୍ବର ପାଣିଗ୍ରାହୀଙ୍କ କାର୍ଯ୍ୟାଳୟରେ ସାକ୍ଷାତକରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ତତ୍ ସାଙ୍ଗକୁ ଏହାର ଏକକିତା ନକଲ କୃଷି ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ ଏବଂ ଜିଲ୍ଲାପାଳ, ଆରକ୍ଷକ ଅଧିକାରୀ ବରଗଡଙ୍କୁ ପ୍ରଦାନ କରାଯାଇଛି ବୋଲି ସଂଗଠନର ସମ୍ପାଦକ ସାମନ୍ତ ସାହୁ ଜଣାଇଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top