

ଚାଷୀ ତାତିଲେ ସମବାୟ ସମିତିରେ ପଡିଲା ତାଲା
ବିଜେପୁର : ଧାନ ପଞ୍ଜୀକରଣ ପାଇଁ ଚାଷୀ ମହଳରେ ଅସନ୍ତୋଷ ଉପୁଜିଥିବା ବେଳେ ବିଜେପୁର ଅଞ୍ଚଳରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଧାନକାର୍ଡ ପଞ୍ଜୀକରଣର ତୃଟିପୂର୍ଣ୍ଣ ପ୍ରକ୍ରିୟା ଯୋଗୁଁ ଚାଷୀମାନଙ୍କ ପଞ୍ଜୀକରଣରେ ଅସୁବିଧା ଦେଖାଦେଇଛି । ଏଥିଯୋଗୁଁ ଅସନ୍ତୁଷ୍ଟ ଚାଷୀମାନେ ବ୍ଳକ ଅଞ୍ଚଳର ପାଞ୍ଛଗୋଟି ସମବାୟ ସମିତି ଏମ୍. ଶ୍ରୀଗିଡ଼ା, ବିଜେପୁର, ଲାଉମୁଣ୍ଡା, ସାଇପାଲି ଓ ବଡ଼ବାଉଁସେନକୁ ତାଳାବନ୍ଦ କରିଛନ୍ତି । ପୂର୍ବରୁ ବିଭିନ୍ନ ସମବାୟ ସମିତି ବନ୍ଦ କରାଯାଇଥିବା ବେଳେ ସୋମବାର ବ୍ଲକ କୃଷକ ସଂଗଠନର ଆହ୍ବାନ କ୍ରମେ ସୁନିଲ ମହାପାତ୍ର, ଆରକ୍ଷିତ ସାହୁ, ସାମନ୍ତ ସାହୁ, ପ୍ରତାପ ଗିରି, ଶିଶିର ପୁଟେଲ, ଖୁଦିରାମ ସାହୁ, ମିନକେତନ ସାହୁ, ଦୁକାଲୁ ମେହେର, ମୃତ୍ୟୁଞ୍ଜୟ ସାହୁଙ୍କ ସମେତ ଶତାଧିକ ଚାଷୀ ଏକତ୍ରିତ ହୋଇ ଲାଉମୁଣ୍ଡା ସମବାୟ ସମିତିରେ ତାଲା ପକାଇଥିଲେ । ସୂଚନାଯୋଗ୍ୟ ଯେ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା ମାଧ୍ୟମରେ ଚାଷୀ ପଞ୍ଜୀକରଣ କରାଯିବ ବୋଲି ଘୋଷଣା କରିଥିଲେ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇପାରି ନାହିଁ ଫଳରେ ଚାଷୀମାନେ ପଞ୍ଜୀକରଣ କରିବାରୁ ବଞ୍ଚିତ ହେଉଛନ୍ତି । ବ୍ଲକ୍ର ଏମ୍ ଶ୍ରୀଗିଡ଼ା ସମବାୟ ସମିତିରେ ମୋଟ ୨୩୨୦ ଚାଷୀଙ୍କ ମଧ୍ୟରୁ ମାତ୍ର ୨୫୮ ଜଣ ପଞ୍ଜୀକରଣ କରିଥିବା ବେଳେ ବିଜେପୁରରେ ୫୧୦, ଲାଇମୁଣ୍ଡାରେ ୫୨୬, ସାଇପାଲିରେ ୯୦୯ ଓ ବଡ଼ବାଉଁସେନ ସମିତିରେ ୩୩୮ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ହଜାର ହଜାର ଚାଷୀ ପଞ୍ଜୀକରଣରୁ ବଞ୍ଚିତ ରହିଥିବା ବେଳେ ମାତ୍ର ଆଉ ସପ୍ତାହେ ମଧ୍ୟରେ କିପରି ଏତେ ସଂଖ୍ୟକ ଚାଷୀ ଧାନକାର୍ଡ ପଞ୍ଜୀକରଣ କରିବେ ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ତେଣୁ ପଞ୍ଜୀକରଣ ନୀତିକୁ ସରଳ କରିବା ସହିତ ସମୟ ସୀମାକୁ ବୃଦ୍ଧି କରିବା ପାଇଁ ବ୍ଲକ କୃଷକ ସଂଗଠନର ସଭାପତି ସୁବାସ ପ୍ରଧାନଙ୍କ ସମେତ କର୍ମଚାରୀମାନେ ଦାବୀ କରିଛନ୍ତି ।


