

ବୁଢ଼ାରଜା ଜଙ୍ଗଲରେ ବୃକ୍ଷ ମାନଙ୍କ ସହିତ ହୋଲି ଖେଳ ଉତ୍ସବ


ସମ୍ବଲପୁର : ସମ୍ବଲପୁର ନିକଟସ୍ଥ ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ଐତିହାସିକ ବୁଢ଼ାରଜା ଜଙ୍ଗଲରେ ପ୍ରତିବର୍ଷ ଭଳି ନିଆରା ଢଙ୍ଗରେ ବୃକ୍ଷମାନଙ୍କ ପୂଜାର୍ଚ୍ଚନା ସହ ବୃକ୍ଷ ମାନଙ୍କ ସହିତ ହୋଲି ଖେଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୁଢ଼ାରଜା ବନ ସଂରକ୍ଷଣ ସମିତିର ବରିଷ୍ଠ କର୍ମକର୍ତ୍ତା, ବିଶିଷ୍ଟ ପରିବେଶବିତ୍ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାରଙ୍କ ତତ୍ତ୍ୱାବଧାନରେ ଓ ସଭାପତି ପ୍ରକୃତିବନ୍ଧୁ ଶ୍ରୀଯୁକ୍ତ ମେଘୁ ମୁଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ନିଆରା ହୋଲି ଉତ୍ସବରେ ସମ୍ପାଦକ ଶ୍ରୀଯୁକ୍ତ ତପନ କୁମାର ପ୍ରଧାନ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । ସଂସ୍କୃତିରତ୍ନ ଶ୍ରୀଯୁକ୍ତ ବହିଦାରଙ୍କ ପୌରହିତ୍ୟରେ କଳସ ସ୍ଥାପନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ ପୁଷ୍ପ ଧୂପ ନୈବେଦ୍ୟ ସହ ବୈଦିକ ରୀତିରେ ବୃକ୍ଷ ମାନଙ୍କ ପୂଜାର୍ଚ୍ଚନା ପରେ ବୃକ୍ଷ ମାନଙ୍କ ସହ ନିଆରା ଢ଼ଙ୍ଗରେ ହୋଲି ଖେଳ ଅନୁଷ୍ଠିତ ହୋଇଥିଲା । ଜୀବନ ସାରା ଗଛପତ୍ର ବୃକ୍ଷଲତା ଉଦ୍ଭିଦ ଜଗତ ପରୋପକାର ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରୁଥିବାରୁ ଆମ୍ଭେ ସମସ୍ତ ମାନବ ସମାଜ ଏବଂ ସମ୍ପୂର୍ଣ୍ଣ ଜୀବ ଜଗତ ସେମାନଙ୍କ ଠାରେ ଚିରଋଣୀ । ବୃକ୍ଷ ମାନେ ହେଉଛନ୍ତି ଆମର ଜୀବନ, ସେମାନଙ୍କ ବିନା ଆମେ ବଞ୍ଚି ରହିବା ଅସମ୍ଭବ । ତେଣୁ ପବିତ୍ର ହୋଲି ଉତ୍ସବରେ ପ୍ରକୃତିକୁ, ଜଙ୍ଗଲକୁ ଏବଂ ବୃକ୍ଷମାନଙ୍କୁ ସାମିଲ କରିବାକୁ ମହାଭାରତୀୟ ସଂସ୍କୃତି ଆମକୁ ଶିକ୍ଷା ଦେଉଛି ଓ ପରିବେଶ ସ୍ୱଚ୍ଛ ରହିଲେ ଯାଇ ଆମ୍ଭେମାନେ ସମସ୍ତେ ସୁସ୍ଥ ରହି ପାରିବା ବୋଲି ଶ୍ରୀଯୁକ୍ତ ବହିଦାର ନିଜ ଉଦ୍’ବୋଧନରେ କହିଥିଲେ । ଏହି ଶୁଭ ଅବସରରେ ବୁଢ଼ାରଜା ଜଙ୍ଗଲରେ ବନ ସଂରକ୍ଷଣ ସମିତି ପକ୍ଷରୁ ଫଳବୃକ୍ଷ ଚାରା ରୋପଣ କରାଯାଇଥିଲା । ଏହି ନିଆରା ବୃକ୍ଷ ମାନଙ୍କ ସହିତ ହୋଲି ଖେଳ ଉତ୍ସବରେ ଫୁଲକୀ ଜାଲ, ବାସନ୍ତି ପୋଢ଼, ସବିତା ପ୍ରଧାନ, ରୀତା ନାୟକ, ସଙ୍ଗୀତା ଅଧିକାରୀ, ତନୁଜା ସେଠି, ସୈରେନ୍ଦ୍ରୀ ଶଙ୍କିରୀ, ସନ୍ତୋଷୀ ମୁଣ୍ଡା, ରିତିକା ମାହାଲି, ଧାରା ମୁଣ୍ଡା, ପ୍ରଭାସ ମାହାଲି, ସୋନାଲି ମୁଣ୍ଡା ପ୍ରମୁଖ ବୁଢ଼ାରଜା ବନ ସଂରକ୍ଷଣ ସମିତିର ସଭ୍ୟ/ସଭ୍ୟା ଏବଂ ପ୍ରକୃତି ପରିବେଶ ପ୍ରେମୀ ବହୁ ସଂଖ୍ୟାରେ ଯୋଗଦାନ କରି ପରସ୍ପରକୁ ଅବିର ଫଗୁ ଲଗାଇ ଶୁଭେଚ୍ଛା ଜଣାଇଥିଲେ । ଶେଷରେ ସମ୍ପାଦକ ଶ୍ରୀଯୁକ୍ତ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ମଧ୍ୟରେ ପ୍ରସାଦ ବଣ୍ଟନ ପରେ ସମାରୋହ ଉଦ୍’ଯାପିତ ହୋଇଥିଲା ।





