

କୃତିତ୍ବ ପ୍ରଦର୍ଶନ କଲେ ୨୮ ରୁ ୮ଜଣ ଶିକ୍ଷାର୍ଥୀ
ବରଗଡ଼ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ୨୦୨୪-୨୫ ଶିକ୍ଷା ବର୍ଷର ପଞ୍ଚମ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଫଳ ଗୁରୁବାର ପ୍ରକାଶିତ ହୋଇଛି। ପଞ୍ଚମ ଶ୍ରେଣୀ ମେଧା ବୃତ୍ତିରେ କ୍ଷେତରପଡା ପ୍ରାଥମିକ ସ୍କୁଲର ନୀଲମା ଖମାରୀ, ପିପିଲିପାଲି ପ୍ରାଥମିକ ସ୍କୁଲର ବିନି ନାଏକ, କ୍ଷେତରପଡା ପ୍ରାଥମିକ ସ୍କୁଲର ସାଗରିକା ଭୋଇ ଯଥାକ୍ରମେ ବ୍ଲକରେ ଦ୍ବିତୀୟ, ତୃତୀୟ, ପଞ୍ଚମ ହୋଇଥିବା ବେଳେ ଗରିବ ମେଧା ବୃତ୍ତିରେ ଲେମଧର ସେବାଶ୍ରମର ପରିଧି ନାଏକ କୃତିତ୍ବର ସହିତ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ତୃତୀୟ ଶ୍ରେଣୀର ମେଧା ବୃତ୍ତି ପରୀକ୍ଷାରେ ଏମ ଗଣ୍ଡପାଲି ଉଚ୍ଚ ପ୍ରାଥମିକର ରେୟାଂଶ ସାହୁ ଚତୁର୍ଥ, ପୂର୍ଣ୍ଣା ପ୍ରାଥମିକ ସ୍କୁଲର ଅନୀମା ସାହୁ ପଞ୍ଚମ ସ୍ଥାନ ହାସଲ କରିଛନ୍ତି । ଉକ୍ତ ତୃତୀୟ ଶ୍ରେଣୀ ଗରିବ ମେଧା ବୃତ୍ତିରେ ଲେମଧର ସେବାଶ୍ରମ ସ୍କୁଲର ସରିତା ନାଏକ ବ୍ଲକ ସ୍ତରରେ କୃତିତ୍ବର ସହ ପ୍ରଥମ ହୋଇ ଜାରିଂ କ୍ଲଷ୍ଟରକୁ ଗୌରବାନ୍ବିତ କରିଛନ୍ତି । ସେହିଭଳି ତୃତୀୟ ଶ୍ରେଣୀ ଗରିବ ମେଧାବୀ ବୃତ୍ତି ପରୀକ୍ଷାରେ ବୁଡାପାଲି ଉଚ୍ଚ ବିଦ୍ୟାଳୟର ପୀୟୂଷ କୁମାର ସାହୁ ସଫଳତାର ସହ ଦ୍ବିତୀୟ ହୋଇଛନ୍ତି । ଏତାଦୃଶ ସଫଳତା ପାଇଁ ଜାରିଂ ସିଆରସିସି ରାଜେଶ୍ବର ବେହେରା, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପଧାନ, ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର ସମସ୍ତ କୃତି ଶିକ୍ଷାର୍ଥୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ପଞ୍ଚମ ଓ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ସମୁଦାୟ ୨୮ ଜଣ ସଫଳତା ପାଇଥିବାବେଳେ ଜାରିଂ କ୍ଲଷ୍ଟରରୁ ଆଠ ଜଣ ଶିକ୍ଷାର୍ଥୀ ରହିଥିବାରୁ ଶିକ୍ଷାବିତ, ଶିକ୍ଷାପ୍ରେମୀ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ସୂଚନାଯୋଗ୍ୟ ଯେ, ଚଳିତବର୍ଷ ପ୍ରଥମ ଭାବେ ଏହି ବୃତ୍ତି ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ ପାଇଁ ଜିଲ୍ଲାର ଅନ୍ୟ ବ୍ଲକକୁ ସ୍ଥାନାନ୍ତରିତ ହୋଇଥିଲା ।


