

ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ହାଇସ୍କୁଲ ପଡିଆ ପରିସରରେ ବିଜେପୁର ବ୍ଲକ ସ୍ତରୀୟ ୭୯ ତମ ସ୍ୱାଧୀନତା ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ବିଶ୍ବାଳ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଆୟୋଜିତ ସମ୍ମିଳିତ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରି, ନିଜ ଅଭିଭାଷଣରେ ସୁନ୍ଦର ଭାରତ ଗଠନ ପାଇଁ ଶିକ୍ଷା, ସମୃଦ୍ଧି ଏବଂ ଉନ୍ନତ ମାନସିକତାର ଆବଶ୍ୟକତା ଅଛି ବୋଲି ଅଭିଭାଷଣ ରଖିବା ସହିତ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଦାନକୁ ସ୍ମରଣ କରି, ସେମାନଙ୍କୁ ସଲାମ ଜଣାଇବାକୁ ଆହ୍ୱାନ କରିଥିଲେ ବିଡିଓ ମହୋଦୟ । ଏହି କାର୍ଯ୍ୟକ୍ରମ ଅବସରରେ ପୌର ପରିଷଦ କାର୍ଯ୍ୟନିବାହୀ ଯନ୍ତ୍ରୀ ବଜ୍ଞ ବିଭୁଦତ୍ତ ସାହୁ, ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର, ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, ଥାନାଧିକାରୀ ସୁଶାନ୍ତମଣି ମହାନ୍ତି ଆଦି ଉପସ୍ଥିତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇବା ସହିତ ସ୍ବାଧୀନତା ସଂଗ୍ରାମୀ ମାନଙ୍କର ସ୍ମୃତିଚାରଣ କରିଥିଲେ । ୭୯ ତମ ସ୍ବାଧୀନତା ଦିବସ ଉପଲକ୍ଷେ ଆୟୋଜିତ ସମ୍ମିଳିତ ପ୍ୟାରେଡ୍ରେ ସମୁଦାୟ ୨୮ ଗୋଟି ପ୍ଲାଟୁନ୍ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।


