

ବ୍ଲକ ସ୍ତରୀୟ ଖୋ-ଖୋ ଖେଳାଳୀ ଚୟନ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ କୁର୍କୁଟା ଖେଳ ପଡିଆରେ ବ୍ଲକ ସ୍ତରୀୟ ଖୋ-ଖୋ ଖେଳାଳୀ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଜେପୁର ବ୍ଲକ ଶିକ୍ଷା ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ଶିବିରକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କ୍ଷୀରୋଦ୍ର ସାହୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ଏବଂ ପରିଚାଳନା ନିମିତ୍ତ ଉପସ୍ଥିତ କ୍ରୀଡା ଶିକ୍ଷକ ମାନଙ୍କୁ ଦାୟିତ୍ବ ପ୍ରଦାନ କରିଥିଲେ । ବିଜେପୁର ବ୍ଲକ ଅନ୍ତର୍ଗତ ୩୦ ଗୋଟି ଉଚ୍ଚ ବିଦ୍ୟାଳୟରୁ ପ୍ରାୟ ୧୫୦ ଜଣ ଖୋ-ଖୋ ଖେଳାଳୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଜୁନିୟର୍ ଓ ସବ୍-ଜୁନିୟର୍ ଦୁଇଟି ବିଭାଗରେ ପୃଥକ୍ ଭାବେ ବାଳକ ଓ ବାଳିକା ମାନଙ୍କୁ ଚୟନ କରାଯାଇଥିଲା । ସେଥି ମଧ୍ୟରୁ ୪୮ ଜଣ ଛାତ୍ରଛାତ୍ରୀ ଜିଲ୍ଲା ସ୍ତରୀୟ ଖୋ-ଖୋ ଚୟନ ଶିବିରରେ ଅଂଶଗ୍ରହଣ କରି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ବୋଲି କ୍ରୀଡା ଶିକ୍ଷକଗଣ ଉତ୍ସାହିତ ଥିଲେ । ଦରରଥ ଗଡତିଆ, ଭବାନୀ ଶଙ୍କର ସାହୁ, ସଚ୍ଚିଦାନନ୍ଦ ପଧାନ, ହୃଦମଣୀ ସାହୁ, ସଞ୍ଜୟ ସାହୁ ସମେତ ସମସ୍ତ କ୍ରଡୀ ଶିକ୍ଷକଗଣ ଖେଳ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହିତ ସହଯୋଗ କରିଥିଲେ । ସମଗ୍ର କାର୍ଯ୍ୟକ୍ରମରେ କୁର୍କୁଟା ହାଇସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ ସହଯୋଗ କରିଥିଲେ ।





