

ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ପ୍ରେରଣାଦାୟୀ କାର୍ଯ୍ୟକ୍ରମ
ସୋହେଲା/ବରଗଡ : ବିଶ୍ୱ ଜନସଂଖ୍ୟା ଦିବସ ଅବସରର ବରଗଡ ଜିଲ୍ଲାେ ସୋହେଲା ବ୍ଲକର ଶ୍ରୀରାମ କଲେଜରେ “ମେରା ୟୁବା ଭାରତ” ର ତତ୍ତ୍ୱାବଧାନରେ ଏକ ପ୍ରେରଣାଦାୟୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ‘ମେରା ୟୁବା ଭାରତ’ ଜିଲ୍ଲା ଯୁବ ଅଧିକାରୀ କମଳ ସା, କଲେଜ ପରିଚାଳକ ଗିର୍ଜେଶ ଖେଣ୍ଡଗା, କଲେଜ ଅଧ୍ୟକ୍ଷ ନିଲାଞ୍ଚଳ ପ୍ରଧାନ, ଇଂରାଜୀ ଅଧ୍ୟାପକ ବାଦଲ ପ୍ରଧାନ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସଚେତନତା ସୃଷ୍ଟି କରିବା ଏବଂ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ପାଇଁ ପ୍ରେରଣା ଦେବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ଏହି ଅବସରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପ୍ରେରଣାଦାୟୀ ଭାଷଣ ମାଧ୍ୟମରେ ଜନସଂଖ୍ୟା ନିୟନ୍ତ୍ରଣର ମହତ୍ତ୍ୱକୁ ଉଜାଗର କରିଥିଲେ । ‘ମେରା ୟୁବା ଭାରତ’ ତରଫରୁ କମଳ ସା ଯୁବକମାନଙ୍କର ଭୂମିକା ଏବଂ ସାମାଜିକ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ, ଅଧ୍ୟକ୍ଷ ଗିର୍ଜେଶ ଖେଣ୍ଡଗା ଜନସଂଖ୍ୟା ନିୟନ୍ତ୍ରଣକୁ ସ୍ଥାୟୀ ବିକାଶର ଆଧାର ବୋଲି ବର୍ଣ୍ଣନା କରି ଛାତ୍ରଛାତ୍ରୀମାନଙ୍କୁ ଏହି ଦିଗରେ ସକ୍ରିୟ ଭାଗୀଦାରୀ ପାଇଁ ଉତ୍ସାହିତ କରିଥିଲେ । କଲେଜ ଅଧ୍ୟକ୍ଷ ଏବଂ ବାଦଲ ପ୍ରଧାନ ନିଜର ମତ ପ୍ରକାଶ କରି ଜନସଂଖ୍ୟା ନିୟନ୍ତ୍ରଣର ସାମାଜିକ ଏବଂ ଅର୍ଥନୈତିକ ପାର୍ଶ୍ୱ ଉପରେ ଆଲୋକ ପାତ କରିଥିଲେ । କାର୍ଯ୍ୟକ୍ରମର ସଂଚାଳନ ଅତ୍ୟନ୍ତ କୁଶଳତାର ସହିତ କରାଯାଇଥିଲା, ଯେଉଁଥିରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ । ଆୟୋଜନ ଟି କେବଳ ସଚେତନତା ବୃଦ୍ଧି କରିନଥିଲା, ବରଂ ଛାତ୍ର ଛାତ୍ରୀଙ୍କୁ ଭବିଷ୍ୟତରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ପ୍ରେରଣା ଦେଇଥିଲା ଲ ଶ୍ରୀରାମ କଲେଜ ଏବଂ ମେରା ୟୁବା ଭାରତ ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସମାଜରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରତି ସଚେତନତା ଓ ପ୍ରେରଣା ସଞ୍ଚାର କରିବାରେ ସଫଳ ହେବ ବୋଲି ମତ ପ୍ରକାଶ ପାଇଥିଲା ।





