ବିଜେପୁରରେ ପୋସ ଆଇନ ସମ୍ପର୍କୀୟ କର୍ମଶାଳା
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ପୋସ ଆଇନ ସମ୍ପର୍କୀୟ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେରଙ୍କ ଆବାହକତ୍ବ ତଥା ସ୍ଥାନୀୟ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ରଙ୍କ ପୌରହିତ୍ୟରେ ଯୌନ ନିର୍ଯାତନା ନିରାକରଣ ସଂପର୍କରେ ଆଲୋଚନା ହୋଇଥିଲା । ତହସିଲଦାର ମୁକ୍ତେଶ୍ବର ପାଣିଗ୍ରାହୀ, ବିଡିଓ ସରୋଜ ବିଶ୍ବାଳ, ଆଇଆଇସି ସୁଶାନ୍ତମଣି ମହାନ୍ତ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଆତ୍ମ ସଞ୍ଜମତା, ନୈତିକତା, ସଂସ୍କାର ଦ୍ବାରା ଯୌନ ଉତ୍ପୀଡନ ସମାଧାନର ମୂଳମନ୍ତ୍ର ବୋଲି ମତପ୍ରକାଶ ପାଇଥିଲା । ଅନ୍ତରୀଣ କମିଟି ଗଠନ ସହିତ ଛଅମାସ ପର୍ଯ୍ୟନ୍ତ ପ୍ରତିମାସ ଏହା ଉପରେ ସଚେତନତା ସୃଷ୍ଟି ପାଇଁ ପ୍ରତି ଶିକ୍ଷାନୁଷ୍ଠାନରେ ବୈଠକ ଅନୁଷ୍ଠିତ ହେବ । ଉକ୍ତ କର୍ମଶାଳାକୁ ବଡବାଉଁଶେନ ସିଆରସିସି ଦୁର୍ବାଦଳ ବଡଗୋଛିଆ ସଂଯୋଜନା କରିଥିବା ବେଳେ ବ୍ଲକର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ, ସିଆରସିସିଗଣ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ବିଜେପୁର ସିଆରସିସି ସୁଧାଂଶୁ ଶେଖର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।



