

ବିଜେପୁରରେ ପାର୍ବତୀ ଗିରିଙ୍କ ରାଜ୍ୟ ସ୍ତରୀୟ ଜନ୍ମ ଶତବାର୍ଷିକୀ ପାଳିତ


ବରଗଡ/ବିଜେପୁର : ତ୍ୟାଗ ଓ ସେବାର ଅନ୍ୟତମ ନିଦର୍ଶନ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ରାଜ୍ୟ ସ୍ତରୀୟ ଜନ୍ମ ଶତବାର୍ଷିକୀ କର୍ମଭୁମି ବରଗଡ ଜିଲ୍ଲା ବିଜେପୁରେ ସମାରୋହରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମାନ୍ୟବର ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ । ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶତବାର୍ଷିକୀ ସଭାରେ ସମ୍ମାନୀତ ଅତିଥି ଭାବେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ, ବିଜେପୁର ବିଧାୟକ ସନତ କୁମାର ଗଡତିୟା, ପାର୍ବତୀ ଗିରିଙ୍କ ଦାୟାଦ ଭରତ ଚନ୍ଦ୍ର ଗିରି, ନିଲେଶ ଗିରି, ପାର୍ବତୀ ଗିରି ଅନାଥ ବୃଦ୍ଧାଶ୍ରମର ସଭାପତି ସୁବାଷ ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।


ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତେ ପାର୍ବତୀ ଗିରିଙ୍କୁ ମାଆର ସମ୍ମାନ ଦେଉଛୁ । ତାଙ୍କୁ ସାହସ, ସେବା, ତ୍ୟାଗ ଓ ସହାନୁଭୂତିର ପ୍ରତିକ ଭାବେ ମନେ ରଖିବାକୁ ହେବ ଏବଂ ଏହି ମାଟିରେ ପାର୍ବତୀ ଗିରି, ଗଙ୍ଗାଧର ମେହେର ଭଳି ଅସାଧାରଣ ବ୍ୟକ୍ତିତ୍ବ ମାନଙ୍କ ସୃଷ୍ଟି ହୋଇଥିବାରୁ ଏଠାକୁ ଆସି ପାର୍ବତୀ ଗିରିଙ୍କ ବିଷୟରେ କିଛି କହି ଶ୍ରଦ୍ଧାଞ୍ଜଳୀ ଦେବାର ସୌଭାଗ୍ୟ ପାଇଛି ବୋଲି ମୁଖ୍ୟ ଅତିଥି ମତପ୍ରକାଶ କରିଥିଲେ । ବିଜେପୁର-ବରଗଡ଼ ରାସ୍ତାକୁ ପାର୍ବତୀ ଗିରି ସଡକ ପଥ ଭାବେ ଘୋଷଣା ହୋଇଥିବା ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମତପ୍ରକାଶ କରିଥିଲେ । ପାର୍ବତୀ ଗିରିଙ୍କ ସେବାକାର୍ଯ୍ୟର ତୁଳନା ନାହିଁ । ତାଙ୍କୁ ଯଥୋଚିତ ସମ୍ମାନ ପାଇଁ ପାଠ୍ୟ ପୁସ୍ତକରେ ତାଙ୍କର ଜୀବନୀ ସ୍ଥାନୀତ କରିବାକୁ ବିଜେପୁର ବିଧାୟକ ସନତ କୁମାର ଗଡତୀୟା ମତବ୍ୟକ୍ତ କରିଥିଲେ ।


ପାର୍ବତୀ ଗିରିଙ୍କ ଦାୟାଦମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଏକ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସେବା ଯୋଗାଉଥିବା ଖଗେଶ୍ବର ସାହିତ୍ୟ କଳା ପରିଷଦ, ନିଷ୍ଠା ପରିବାର, ସେବା ଫାଉଣ୍ଡେସନ୍, ଜିଲ୍ଲା ସମାଜସେବୀ ସଂଘ ଜିଲ୍ଲାର ବହୁ ଅନୁଷ୍ଠାନ ସମେତ କେତେକ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ସଭାକୁ ସଂଯୋଜନା କରିଥିଲେ । ବିଜେପୁର ଖଗେଶ୍ବର ସାହିତ୍ୟ କଳା ପରିଷଦ ଓ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସହଯୋଗରେ ସମଲାଇପଦର ବାସଭବନରୁ ବହ୍ନିକନ୍ୟା ପାର୍ବତୀ ଗିରି ଜ୍ୟୋତି ଚେତନା ରଥ ସଭା ମଞ୍ଚକୁ ପହଞ୍ଚି ଥିଲା ।


ମନୋହରପାଲି, ଏମ୍ ଗଣ୍ଡପାଲି, ବିଜେପୁରର ବିଭିନ୍ନ ବିଦ୍ୟାଳୟର ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବହ୍ନିକନ୍ୟା ଶତବାର୍ଷିକୀ ପାଳନ କମିଟି ସମଲାଇପଦର ଓ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ସହଯୋଗରେ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଇଥିଲା । ଏହା ପୂର୍ବରୁ ମାନ୍ୟବର ମନ୍ତ୍ରୀ ସମଲାଇପଦର ହାଇସ୍କୁଲ ଓ ଅନାଥ ବୃଦ୍ଧାଶ୍ରମର ପାର୍ବତୀ ଗିରିଙ୍କ ପ୍ରତିମୂର୍ତ୍ତିକୁ ଅନାବରଣ କରିଥିଲେ । ମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ, ଜିଲ୍ଲାପାଳ ପାର୍ବତୀ ଗିରିଙ୍କ ଜନ୍ମ ପୀଠ ପରିଦର୍ଶନ କରିଥିଲେ । ଆଗାମୀ ଦିନରେ ଜନ୍ମପୀଠର ଉନ୍ନତି କରଣ ସମେତ ସମଲାଇପଦର ନଅ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରତିଶ୍ରୁତି ଦେଇଥିଲେ ।







